Categories: Home Leftଖେଳ

କରୋନାରୁ ଆରୋଗ୍ୟ ହେଲେ ଫେଲାଇନି

ସାଂଘାଇ, ୧୫ା୪ (ଏଏଫ୍‌ପି)-କରୋନା ଭାଇରସ୍‌ ପାଇଁ ଚାଇନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ମାରୋନେ ଫେଲାଇନି ମଙ୍ଗଳବାର ଡାକ୍ତରଖାନା ଛାଡ଼ିଛନ୍ତି। ୩୨ ବର୍ଷୀୟ ଶାନ୍‌ଡଙ୍ଗ୍‌ ଲୁନେଙ୍ଗ୍‌ ମିଡ୍‌ଫିଲ୍ଡର ଚାଇନିଜ ସୁପର ଲିଗ୍‌ (ସିଏସ୍‌ଏଲ୍‌)ର ଏକମାତ୍ର ଖେଳାଳି ଭାବେ କରୋନା ରୋଗରେ ପୀଡ଼ିତ ହୋଇଥିଲେ। ବର୍ତ୍ତମାନ ସେ ୧୪ ଦିନ ପାଇଁ ପର୍ଯ୍ୟବେକ୍ଷଣରେ ରହିବେ। ବେଲଜିୟମର ଏହି ଅନ୍ତର୍ଜାତୀୟ ଖେଳାଳି କରୋନାରେ ଆକ୍ରାନ୍ତ ଥିବା ମାର୍ଚ୍ଚ ୨୨ରେ ସୂଚନା ଦେଇଥିଲେ। ଏବେ ସେ ସୁସ୍ଥ ଅନୁଭବ କରୁଥିବା ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି। ଜିନାନ ସହର ଅନ୍ତର୍ଗତ ଏକ ଡାକ୍ତରଖାନାରେ ଫେଲାଇନି ୩ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। ରୋଗରୁ ମୁକ୍ତି ପାଇବା ପରେ ତାଙ୍କ ରୁମ୍‌ରେ ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ଇଭରଟନ ଖେଳାଳି ଫେଲାଇନି ଗତବର୍ଷ ଫେବୃୟାରୀରେ ୭.୨ ନିୟୁତ ୟୁରୋ ବିନିମୟରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ରୁ ଆସି ଶାନ୍‌ଡଙ୍ଗ୍‌ରେ ଯୋଗ ଦେଇଥିଲେ। ଚାଇନାରେ ତାଙ୍କ ପ୍ରଥମ ସିଜନ ବେଶ୍‌ ଫଳପ୍ରଦ ରହିଛି। ସେ ୩୪ଟି ମ୍ୟାଚରେ ବ୍ୟକ୍ତିଗତ ୧୨ଟି ଗୋଲ ସ୍କୋର କରିଥିବା ଅନ୍ୟ ୫ଟି ଗୋଲ୍‌ଦେବାରେ ସହାୟତା କରିଛନ୍ତି।