କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ୍ବାଘା ସୀମାରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ରବିବାର ଅଟାରୀ ସୀମାରେ ପହଞ୍ଚିଛନ୍ତି। ପାକିସ୍ତାନ ତରଫରୁ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଡା. ମହମ୍ମଦ ଫୈସଲଙ୍କ ଅଧ୍ୟକ୍ଷତାରେ ୨୦ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ଏଥିରେ ଅଂଶ ଗ୍ରହଣ କରିବେ। ଭାରତୀୟ ଅଧିକାରୀଙ୍କ ଦ୍ୱାରା ଖଲିସ୍ତାନବାସୀଙ୍କୁ କରତାରପୁର କରିଡର ବୈଠକଠାରୁ ଦୂରେଇ ରଖିବା ଓ ଏହାକୁ ଆତଙ୍କବାଦ ମୁକ୍ତ ରଖିବା ପ୍ରସଙ୍ଗକୁ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁଙ୍କୁ ଗୁରୁଦ୍ୱାର ଶ୍ରୀ କରତାରପୁର ସାହିବର ଦର୍ଶନ ପାଇଁ ଅନୁମତି ମିଳିବା, ଗୁରୁପର୍ବ ଓ ବିଶେଷ ଐତିହାସିକ ପର୍ବ ଅବସରରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ଗୁରୁଦ୍ୱାର ସାହିବ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ଶୁଳ୍କ ଉପରେ ମଧ୍ୟ ଆଲୋଚନା କରାଯିବ।