କମଲନାଥଙ୍କ ୬ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

ଭୋପାଳ,୧୩।୩: ମଧ୍ୟପ୍ରଦେଶରେ ପୁଣି ଥରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସରେ ମନ୍ତ୍ରିମଣ୍ଡଳର ୬ଜଣ ସଦସ୍ୟଙ୍କୁ ବହିଷ୍କୃତ କରିଛନ୍ତି। ସେମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। କଂଗ୍ରେସର ଇମାରତି ଦେବୀ, ତୁଲସୀରାମ ସିଲାବଟ, ଗୋବିନ୍ଦ ସିଂହ ରାଜପୁତ, ମହେନ୍ଦ୍ର ସିଂହ ସିସୋଡିଆ, ପ୍ରଦ୍ୟୁମ୍ନ ସିଂହ ତୋମାର ଓ ଡ. ପ୍ରଭୁରାମ ଚୌଧୁରୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି। ନିକଟରେ ଉକ୍ତ ବିଧାୟକ ଦଳରୁ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ଶୁକ୍ରବାର ଭୋପାଳ ଫେରିଥିବା ମୁଖ୍ୟମନ୍ତ୍ରୀ କମଲନାଥ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହି ସାକ୍ଷାତ୍‌କାରରେ କମଲନାଥ ଜ୍ୟୋତିରାଦିତ୍ୟଙ୍କ ସମର୍ଥକ  ୬ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର  ପାଇଁ ନିବେଦନ କରିଥିଲେ। ଏହାପରେ ରାଜ୍ୟପାଳ ୬ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Share