A woman wearing a protective mask waits for a bus to return to her village during lockdown by the authorities to limit the spreading of coronavirus disease (COVID-19), in New Delhi, India March 23, 2020. REUTERS/Adnan Abidi
କୋହଳ ହେଉଛି ତାଲାବନ୍ଦ କଟକଣା। ଆଉ ତା’ ସହିତ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି ଜୀବନ। ଦୁଇମାସ ହେଲା ଜୀବିକା ଚିନ୍ତାରେ ଥିବା ମଣିଷ କର୍ମକ୍ଷେତ୍ର ଆଡ଼କୁ ମୁହାଁଇଲେଣି। ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୋଲିଲାଣି ଶପିଂମଲ, ହୋଟେଲ, ଟେଲର ଦୋକାନ, ସେଲୁନ୍, ବିୟୁଟିପାର୍ଲର। ହେଲେ ବ୍ୟବସାୟ ଆଉ ଆଗଭଳି ନାହିଁ। ଏହାକୁ ନେଇ ଦ୍ୱନ୍ଦ୍ୱ, ଭୟ, ଆଶଙ୍କା ଭିତରେ ଅଛନ୍ତି ବୃତ୍ତିଧାରୀ। କରୋନା ସଙ୍କଟର ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବିକା କ୍ଷେତ୍ରକୁ ବାହୁଡ଼ିଥିବା ଏପରି କେତେଜଣଙ୍କ ପ୍ରତିକ୍ରିୟାକୁ ନେଇ ଏହି ଉପସ୍ଥାପନା…
– ରିପୋର୍ଟ: ସୁଧୀର କୁମାର ପରିଡ଼ା
ଅଢେଇ ମାସ ହେଲା ବସ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଚକ ଗଡ଼ିବା ବନ୍ଦ ହେବା ପରେ ବସ୍ କର୍ମଚାରୀ ହାତବାନ୍ଧି ବସିଥିଲେ। ସରକାର ଆମ ଦୁଃଖ ବୁଝି ରୋଡ୍ ଟ୍ୟାକ୍ସ ଛାଡ଼ କରିଛନ୍ତି। ଗାଡ଼ି ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ତଥାପି ସଂକ୍ରମଣ ଭୟରେ ଲୋକମାନେ ଯାତ୍ରା କରିବାକୁ ଅମଙ୍ଗ ହେଉଛନ୍ତି। ଆବଶ୍ୟକ ଯାତ୍ରୀ ନ ହେଲେ ଗାଡ଼ି ଚଳାଇବା ଅସମ୍ଭବ। ଯାତ୍ରୀଙ୍କ ଲାଗି ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯାଇଥିବାରୁ ଆଗଭଳି ବ୍ୟବସାୟ ହେବ କି ନାହିଁ ତାହା ବି ସନ୍ଦେହ।
– ଲଛମନ ଜେନା, କାମାକ୍ଷାନଗର ବସ୍ ମାଲିକ ସଂଘ ସଭାପତି
ଦୁଇମାସ ମଧ୍ୟରେ ଅନେକ କ୍ଷତି ସମ୍ଭାଳିବାକୁ ପଡିଛି। ଦୋକାନ ବନ୍ଦ ଥିଲେ ମଧ୍ୟ ବିଦ୍ୟୁତ୍ ବିଲ୍, ଘରଭଡ଼ା ଦିଆଯାଇଛି। ବ୍ୟବସାୟ ନ ଥିଲେ ମଧ୍ୟ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଶତାଧିକ କର୍ମଚାରୀ ଆମ ସହିତ ଜଡ଼ିତ ଥିଲେ। ସେମାନଙ୍କ ପରିବାର ଚଳାଇବା ଲାଗି ଦରମା ଦିଆଯାଇଛି। ଏବେ ଅଧା ସମୟ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଜୀବନଯାତ୍ରା ସ୍ବାଭାବିକ ହେଲେ ମଧ୍ୟ ଆଗଭଳି ବେପାର ନାହିଁ। କ୍ଷତି ଭରଣା କରିବାକୁ ଢେର ସମୟ ଲାଗିବ।
– ଦୀପକ ଖେମକା, ଶପିଂ ମଲ୍ ମାଲିକ
ଲକ୍ଡାଉନ୍ ଯୋଗୁ ଟେଲରିଂ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଏଠାରେ କାମ କରୁଥିବା ଅନ୍ୟ କାରିଗରମାନେ ଜୀବିକା ହରାଇଥିଲେ। କାମ ନ ଥିବାରୁ ସେମାନଙ୍କୁ ଦରମା ଦେବା ଅସମ୍ଭବ ହୋଇପଡ଼ିଥିଲା। ଦୁଇମାସ ହେଲା ସେମାନେ ବଡ କଷ୍ଟକର ପରିସ୍ଥିତି ଦେଇ ଗତି କରିଛନ୍ତି। ଲକ୍ଡାଉନ୍ ନିୟମ କୋହଳ ହେବାରୁ ଜୀବନଯାତ୍ରା ସ୍ବାଭାବିକ ହେଉଛି। ତଥାପି ଲୋକଙ୍କ ଭିତରେ ଭୟ ରହୁଛି। ଏହା କମିବା ପରେ ବେପାର ବଢ଼ିବ। ସାମାଜିକ ଦୂରତ୍ୱ ନିୟମ ମାନି ଗ୍ରାହକମାନେ ଦୋକାନକୁ ଆସିଲେ କାରିଗରମାନେ ଦି ପଇସା ପାଇପାରିବେ।
– ଧୀରେନ୍ଦ୍ର ସାହୁ, ଟେଲର ମାଲିକ
ବିୟୁଟିପାର୍ଲର ଶିଳ୍ପ ମୁଖ୍ୟତଃ ମହିଳା, ଯୁବତୀଙ୍କ ଉପରେ ନିର୍ଭରଶୀଳ। ତେବେ ବିବାହ ଋତୁ ସମୟରେ ଲକ୍ଡାଉନ୍ ହୋଇଥିଲା। ଏ ଭିତରେ ଉତ୍ସବ, ପର୍ବପର୍ବାଣି ଚାଲିଯାଇଛି। ଏହି କାରଣରୁ ବିୟୁଟିସିଆନ୍ମାନେ ଅନେକ କ୍ଷତି ସହିଛନ୍ତି। କେବଳ ବିୟୁଟିସିଆନ୍ ନୁହନ୍ତି, ତାଙ୍କ ସହ କାମ କରୁଥିବା ସହଯୋଗୀମାନେ ମଧ୍ୟ ରୋଜଗାର ହରାଇଥିଲେ। କଟକଣା କୋହଳ ପରେ ଏବେ ଦୋକାନ ଖୋଲିଥିଲେ ମଧ୍ୟ ଭୟରେ ମହିଳାମାନେ ଆସୁନାହାନ୍ତି। ହଠାତ୍ ବେପାର ବନ୍ଦ ହୋଇଯିବା ଯୋଗୁ ଲୋକସମ୍ପର୍କ ମଧ୍ୟ କମିଯାଇଛି। ଲୋକଙ୍କ ନିକଟତର ହେବାକୁ ସମୟ ଲାଗିବ।
– ତୃପ୍ତିମୟୀ ସାହୁ, ବିୟୁଟିସିଆନ