Categories: ମେଟ୍ରୋ

ଓୟୁଏଟି ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

ଭୁବନେଶ୍ୱର,୨୫ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମ୍ପ୍ରତିକ ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଘରୋଇ ହୋଟେଲ ଓ ସରକାରୀ କୋଠାଗୁଡ଼ିକୁରେ ଆପାତକାଳୀନ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟିର ହଷ୍ଟେଲଗୁଡ଼ିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୁଧବାର ପ୍ରକାଶ କରିଛି। ବିଏମ୍‌ସି ଦ୍ୱାରା ପ୍ରକାଶ ପାଇଥିବା ଚିଠି ସଂଖ୍ୟା ୧୦୩୨୦ରେ ଓୟୁଏଟି ହଷ୍ଟେଲ ନଂ. ୧, ୨, ୩, ୫, ୬, ୭, ୮, ୧୦ ଓ ୧୧ରେ କ୍ୱାରାଣ୍ଟାଇନ ସେଣ୍ଟର କରାଯିବ ବୋଲି ଉଲ୍ଲେଖ ରହିଛି। ଓୟୁଏଟି କର୍ତ୍ତୃପକ୍ଷଙ୍କ ସହ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଲୋଚନା କରିବା ପରେ ସେଠାରେ ଏହି ସେଣ୍ଟର କରିବାକୁ ଓୟୁଏଟି ସହମତି ପ୍ରକାଶ କରିଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦେଶରେ କୋଭିଡ-୧୯ର ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚତ୍ଥିବା ବେଳେ ୫୫୦ରୁ ଊର୍ଦ୍ଧ୍ୱ ଲୋକେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସାଧନ ଓ ଲୋକବଳର ଅଭାବ ଥିବାରୁ କିପରି ଅଧିକରୁ ଅଧିକ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇ ସଂକ୍ରମିତ ଲୋକଙ୍କୁ ଭଲ କରିହେବ ସେଥିପ୍ରତି ପ୍ରଶାସନ ତପତ୍ରତା ଦେଖାଇଛି। ଏହି ମର୍ମରେ ବିଏମ୍‌ସି ପ୍ରତ୍ୟେକ ୱାର୍ଡରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲିବା ସହ ଘରୋଇ ହୋଟେଲଗୁଡ଼ିକରେ ମଧ୍ୟ ସେଣ୍ଟର ସୁବିଧା ଉପଲବ୍ଧ କରାଇଛି। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ୯ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିଥିବା ଜଣାପଡ଼ିଛି।