DUBAI, UNITED ARAB EMIRATES - SEPTEMBER 22: Kieron Pollard of West Indies looks on during a nets session at Dubai Cricket Stadium on September 22, 2016 in Dubai, United Arab Emirates.
ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍ ଲାଗି କ୍ରିକେଟ୍ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ଅବସର ନେଇସାରିଥିବା ଅଲ୍ରାଉଣ୍ଡର ଡ୍ବେନ୍ ବ୍ରାଭୋଙ୍କ ସହ କିରନ ପୋଲାର୍ଡ ସ୍ଥାନ ପାଇଛନ୍ତି। ବ୍ରାଭୋ ଗତବର୍ଷ ଅକ୍ଟୋବରରେ ଅବସର ନେଇସାରିଥିବାବେଳେ ପୋଲାର୍ଡ ଶେଷଥର ପାଇଁ ୨୦୧୬ ଅକ୍ଟୋବରରେ ଦିନିକିଆ କ୍ରିକେଟରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲ୍ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସର ଷ୍ଟାର୍ ଅଲ୍ରାଉଣ୍ଡର ବ୍ରାଭୋ ମଧ୍ୟ ୨୦୧୪ ଅକ୍ଟୋବରରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିଭଳି ୨୦୧୬ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ଅନୁଷ୍ଠିତ ଟି୨୦ ଜାତୀୟ ଦଳ ପକ୍ଷରୁ ତାଙ୍କର ଅନ୍ତିମ ମ୍ୟାଚ୍ ଥିଲା। ବୋର୍ଡ ସହିତ ପାଉଣା ବିବାଦକୁ ନେଇ ମତାନ୍ତର ହେବାରୁ ୨୦୧୪ରେ ବ୍ରାଭୋଙ୍କ ନେତୃତ୍ୱରେ ଓ୍ବେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତ ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ସେବେଠାରୁ ଜାତୀୟ କ୍ରିକେଟ୍ ବୋର୍ଡ ଓ ବ୍ରାଭୋଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।
ପୋଲାର୍ଡ ୨୦୧୬ରେ ପାକିସ୍ତାନ ବିପକ୍ଷରେ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିଭଳି ଗତବର୍ଷ ନଭେମ୍ବରରେ ଭାରତ ବିପକ୍ଷ ଟି୨୦ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ବିଶ୍ୱକପ୍ ଲାଗି ଘୋଷିତ ରିଜର୍ଭ ଖେଳାଳି ଲିଷ୍ଟରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ଆମ୍ବ୍ରିସ, ଜନ୍ କ୍ୟାମ୍ପ୍ବେଲ, ଜୋନାଥନ କାର୍ଟର, ରୋଷ୍ଟନ ଚେଜ୍, ଶେନ୍ ଡାର୍ଓ୍ବିଚ, କେମୋ ପଲ୍, ଖାରୀ ପିୟର ଓ ରୟମନ ରେଇଫର୍ ସ୍ଥାନ ପାଇଛନ୍ତି। ‘ବିଶ୍ୱକପ୍ ମଝିରେ ଯଦି ଖେଳାଳି ବଦଳ ଆବଶ୍ୟକ ହୁଏ, ତେବେ ଏମାନଙ୍କ ମଧ୍ୟରୁ ଚୟନ କରାଯିବ’ ବୋଲି ସିଡବ୍ଲ୍ୟୁଆଇ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ରବର୍ଟ ହେନ୍ସ କହିଛନ୍ତି। ଇଂଲଣ୍ଡର ସାଉଥ୍ହମ୍ପଟନ୍ଠାରେ ରବିବାରଠାରୁ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରସ୍ତୁତି କ୍ୟାମ୍ପ୍ ଆରମ୍ଭ କରିଛି। ଆସନ୍ତା ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଏକ ଓ୍ବାର୍ମଅପ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ମେ ୩୧ରେ ପାକିସ୍ତାନ ବିପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଏହାର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ।