Categories: Home Leftଖେଳ

ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ

ନୂଆଦିଲ୍ଲୀ,୨୦।୭- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଓ୍ବେଷ୍ଟଇଣ୍ଡିଜ ସିରିଜରୁ ଓହରିଯାଇଛନ୍ତି। ଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଭେଟେରାନ ଉଇକେଟ କିପର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ତାଙ୍କ ଅବସର ନେଇ ଚାଲିଥିବା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଶ୍ୱକପ୍‌ ସେମିଫାଇନାଲରୁ ଭାରତୀୟ ଦଳ ବିଦାୟନେବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଆଶା କରାଯାଉଥିଲା। ଧୋନୀ ଦୁଇମାସ ପାଇଁ ବିଶ୍ରାମ ନେବାକୁ ଚାହୁଁଛନ୍ତି। ଏହି ସମୟରେ ସେ ପାରାମିଲିଟାରିର ପାରାଚ୍ୟୁଟ୍‌ ରେଜିମେଣ୍ଟରେ ଲ୍ୟୁଟ୍‌ନାଣ୍ଟ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ବିସିସିଆଇ ଅଫିସିଆଲ କହିଛନ୍ତି, ଧୋନୀ କ୍ରିକେଟରୁ ଏବେ ଅବସର ନେଉନାହାନ୍ତି ବୋଲି ଆମେ ସ୍ପଷ୍ଟ କରୁଛୁ। ପାରାମିଲିଟାରିରେ କାର୍ଯ୍ୟ କରିବା ଲାଗି ସେ ଦୁଇ ମାସ ପାଇଁ କ୍ରିକେଟରୁ ବିରତି ନେଇଛନ୍ତି। ଏଥିନେଇ ବହୁ ପୂର୍ବରୁ ଯୋଜନା କରିଥିଲେ। ଆମେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ଅଧିନାୟକ ବିରାଟ କୋହଲି, ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦଙ୍କୁ ଜଣାଇଦେବୁ ବୋଲି ବିସିସିଆଇର ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି। ୩୮ ବର୍ଷୀୟ କ୍ରିକେଟର ଅବସର ନେବାକୁ ମନା କରିବା ପରେ ଚୟନ କମିଟି ଉପରେ ସବୁ କିଛି ନିର୍ଭର କରୁଛି। ଧୋନୀଙ୍କ ଓହରିବା ଯୋଗୁ ରିଷଭ ପନ୍ତ ସମସ୍ତ ଫର୍ମାଟ୍‌ରେ ଭାରତୀୟ ଦଳର ଉଇକେଟ କିପର ଲାଗି ପ୍ରଥମ ବିକଳ୍ପ ହେବା ନିଶ୍ଚିତ। ରିଦ୍ଧିମାନ ଶାହ ଟେଷ୍ଟରେ ଅତିରିକ୍ତ ଉଇକେଟ କିପର ଭାବେ ସ୍ଥାନ ପାଇବେ।

Share