Australia's captain Aaron Finch attends a press conference at Trent Bridge in Nottingham, central England, on June 5, 2019, on the eve of their 2019 Cricket World Cup match against the West Indies.
ନଟିଂହାମ, ୬।୬ (ଏଏଫ୍ପି)- ଚଳିତ ବିଶ୍ୱକପ୍ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଓ୍ବେଷ୍ଟଇଣ୍ଡିଜ ଏବେ ବିପଜ୍ଜନକ ଦଳ ଭାବେ ଉଭା ହୋଇଛି। ତେଣୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଓ୍ବେଷ୍ଟଇଣ୍ଡିଜର ବିପଜ୍ଜନକ ଖେଳ ନେଇ ଚିନ୍ତିତ ଅଛନ୍ତି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଅଭିଯାନ ଆରମ୍ଭ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ମାତ୍ର ୧୦୫ ରନରେ ଅଲ୍ଆଉଟ କରି ବିପର୍ଯ୍ୟୟ ଘଟାଇବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ଓପନର କ୍ରିସ୍ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରତି ଅଷ୍ଟ୍ରେଲିଆ ସତର୍କ ରହିଛି। ଓ୍ବେଷ୍ଟଇଣ୍ଡିଜ ଏକ ବିପଜ୍ଜନକ ଦଳ ବୋଲି ଫିଞ୍ଚ୍ କହିଛନ୍ତି। ପ୍ରଥମେ ବୋଲିଂ ହେଉ କି ବ୍ୟାଟିଂ ହେଉ ବିଜୟରୁ ଅଭିଯାନ ଆରମ୍ଭ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇନିଂସର ପ୍ରଥମ ୧୦ ଓଭର ବେଶ୍ ଗୁରୁତ୍ୱବହନ କରୁଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବେଶ୍ ଉଚ୍ଚକୋଟୀର ବୋଲିଂ କରିଥାଏ। ଅନ୍ୟପଟେ ଯଦି ଆମେ ପ୍ରଥମେ ଭଲ ଆରମ୍ଭ କରୁ ତାହାଲେ ଆମେ ବଡ଼ ସ୍କୋର ହାସଲ କରିବୁ। ଧୌର୍ଯ୍ୟର ସହ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜ ଉପରେ ପ୍ରଭାବ ବିସ୍ତାର କରିପାରିବୁ ବୋଲି ଫିଞ୍ଚ୍ କହିଛନ୍ତି। ଟ୍ରେଣ୍ଟବ୍ରିଜ୍ର ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଗତବର୍ଷ ଦିନିକିଆର ସର୍ବାଧିକ ସ୍କୋର ୬ ଉଇକେଟ ହରାଇ ୪୮୧ ରନ ସଂଗ୍ରହ କରିଥିଲା। ତେଣୁ ଏହି ମ୍ୟାଚ୍ ହାଇସ୍କୋରିଂ ହେବ ବୋଲି ସେ ଆଶା କରୁଛନ୍ତି। ଦକ୍ଷତା ଅନୁରୂପ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପାରିବୁ ବୋଲି ଫିଞ୍ଚ୍ କହିଛନ୍ତି।