ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ ନ୍ୟୁଜିଲାଣ୍ଡ ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ଅମୀମାଂସିତ ରଖିଛି। ଲଞ୍ଚ୍‌ ପରେ ପ୍ରବଳ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା ଓ ଇଂଲଣ୍ଡର ଆଶା ମଉଳି ଯାଇଥିଲା। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ନ୍ୟୁଜିଲାଣ୍ଡ ୧-୦ ବ୍ୟବଧାନରେ ହାତେଇ ନେଇଛି। ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ୬୫ ରନରେ ବିଜୟୀ ହୋଇ ସିରିଜ ହାତେଇ ନେଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ତା’ର ୨ ନମ୍ବର ସ୍ଥାନକୁ ଆହୁରି ଦୃଢ଼ କରିଛି।

ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟ ଏଡାଇବା ପାଇଁ ନ୍ୟୁଜିଲାଣ୍ଡ ଉଚ୍ଚକୋଟୀର ବ୍ୟାଟିଂ ଆବଶ୍ୟକ କରୁଥିଲା। ଓ୍ବିଲିୟମସନ ଓ ଟେଲର ଇଂଲଣ୍ଡର ଦୁର୍ବଳ ଫିଲ୍ଡିଂର ଫାଇଦା ନେଇ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ପ୍ରଥମ ଇନିଂସରେ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନିଲ ଓ୍ବାଗନର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ୨୨୬ ରନର ଶତକୀୟ ପାଳି ଖେଳିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

Share