Australia's Steve Smith, right is congratulated by teammate Australia's Nathan Coulter-Nile after scoring 100 runs not out during the Cricket World Cup warm up match between England and Australia at the Rose Bowl in Southampton, England, Saturday, May 25, 2019. (AP Photo/Alastair Grant)
ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ ସ୍ମିଥ୍ଙ୍କୁ ଦର୍ଶକଙ୍କଠାରୁ ଥଟ୍ଟାର ପରିହାସର ସମ୍ମୁଖୀନ ହେବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ମ୍ୟାଚବେଳେ ବଲ୍ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତିକୁ ଏକ ବର୍ଷ ଧରି ବାସନ୍ଦ ଦଣ୍ଡ ଭୋଗିବା ପରେ ଚଳିତ ମାସ ପ୍ରାରମ୍ଭରେ ଓ୍ବାର୍ନର ଓ ସ୍ମିଥ୍ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟଙ୍କ ବାସନ୍ଦ ଦଣ୍ଡ ମିଆଦ ମାର୍ଚ୍ଚ ୨୯ରେ ଶେଷ ହୋଇଛି। ଓ୍ବାର୍ମଅପ୍ ମ୍ୟାଚରେ ଟସ୍ ହାରି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଓପନିଂ ବ୍ୟାଟ୍ସମ୍ୟାନ ଓ୍ବାର୍ନର ଅଧିନାୟକ ଆରୋନ ଫିଞ୍ଚ୍ଙ୍କ ସହିତ ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବାବେଳେ ଦର୍ଶକଙ୍କ ଆଡୁ ନାନା ଟାହୁଲି ଟାପରା ଶୁଣିବାକୁ ମିଳିଥିଲା। ”ଗେଟ୍ ଅଫ୍ ଓ୍ବାର୍ନର ୟୁ ଚିଟ୍’ ବୋଲି ଜଣେ ଦର୍ଶକ କହୁଥିବା ଶୁଣିବାକୁ ମିଳିଥିଲା। ଓ୍ବାର୍ନର ୪୩ ରନ କରି ଆଉଟ ହୋଇଥିଲେ। ୧୭ତମ ଓଭରରେ ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୮୨ ରନ କରିଥିବାବେଳେ ସ୍ମିଥ୍ ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେତେବେଳେ ଦର୍ଶକଙ୍କଠାରୁ ଅଧିକ ଟିପ୍ପଣୀ ଶୁଣିବାକୁ ମିଳିଥିଲା। ସ୍ମିଥ୍ ବ୍ୟାଟିଂ କରିବାକୁ ଆସୁଥିବାବେଳେ କେତେଜଣ ତାଙ୍କୁ ”ଚିଟ୍,ଚିଟ୍, ଚିଟ୍“ ବୋଲି କହିଥିଲେ। ତେବେ ସେ ସମୟରେ ଜଣେ ଅଷ୍ଟ୍ରେଲୀୟ ସମର୍ଥକ ”ଗେଟ୍ ‘ଏମ୍ ଷ୍ଟିଭ୍!“ ବୋଲି କହି ସ୍ମିଥ୍ଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ସ୍ମିଥ୍ ଅର୍ଦ୍ଧ ଶତକ ହାସଲ କରିବା ମାତ୍ରେ ତାଙ୍କ ପ୍ରତି ଆକ୍ଷେପମୂଳକ ଟିପ୍ପଣୀ କମ୍ ଶୁଣାଯାଇଥିଲା ଏବଂ ବ୍ୟାଟିଂ ପାଇଁ ସାବାସୀ ଶୁଣିବାକୁ ମିଳିଥିଲା। ମ୍ୟାଚରେ ଟପ୍ ସ୍କୋର ସ୍ମିଥ୍ ୧୦୨ ବଲ୍ରେ ୧୧୬ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୨୯୭ ରନ କରିଥିଲା। ଇଂଲଣ୍ଡ ଗତ ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଅନ୍ଅଫିସିଆଲ ମ୍ୟାଚ ଖେଳିଥିଲା। ସେଦିନ ଷ୍ଟାଡିୟମରେ ମାତ୍ର ୩୦ଜଣ ଦର୍ଶକ ଉପସ୍ଥିତ ଥିଲେ। ମାତ୍ର ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍ ମ୍ୟାଚ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ।