Sultan of Oman Qaboos bin Said al-Said sits during a meeting with U.S. Secretary of State Mike Pompeo (not pictured) at the Beit Al Baraka Royal Palace in Muscat, Oman January 14, 2019. Andrew Caballero-Reynolds/Pool via REUTERS
ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଅସୁସ୍ଥ ଥିବାରୁ ବେଲଜିୟମରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ। ୧୯୭୦ରେ ବ୍ରିଟେନର ସମର୍ଥନରେ ସୁଲତାନ କାବୁସ ନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ଓମାନର ସୁଲତାନ ଆସନରେ ବସିଥିଲେ। କାବୁସ ବିବାହ କରି ନ ଥିବାରୁ ତାଙ୍କର ଉତ୍ତରାଧିକାରୀ କେହି ନ ଥିବା ପ୍ରକାଶ। ତେବେ ଓମାନର ନିୟମ ଅନୁଯାୟୀ, ସୁଲତାନ ଆସନ ଖାଲି ହେବାର ୩ ଦିନ ମଧ୍ୟରେ ରାଜ ପରିବାର ପରିଷଦ ନୂଆ ସୁଲତାନ ଚୟନ କରିବେ। ସୂଚନାଯୋଗ୍ୟ, ରାଜ ପରିବାର ପରିଷଦରେ ଏବେ ୫୦ ପୁରୁଷ ସଦସ୍ୟ ରହିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସୁଲତାନ କାବୁସ ଏକ ବନ୍ଦ ଲଫାପା ଛାଡି ଯାଇଥିଲେ। ଯେଉଁଥିରେ ଓମାନର ସୁଲତାନ ଆସନ ପାଇଁ ନିଜ ପସନ୍ଦ ଉଲ୍ଲେଖ କରଥିଲେ କାବୁସ। କୁହାଯାଉଥିଲା କି ଯଦି ରାଜ ପରିବାର ୩ ଦିନ ମଧ୍ୟରେ ନୂଆ ସୁଲତାନଙ୍କୁ ନେଇ ସହମତି ପ୍ରକାଶ ନ କରନ୍ତି ତେବେ ପ୍ରତିରକ୍ଷା ପରିଷଦର ସଦସ୍ୟ, ସୁପ୍ରିମକୋର୍ଟର ଅଧ୍ୟକ୍ଷ, ପରାମର୍ଶ ଦାତା ପରିଷଦ ଓ ରାଜ୍ୟ ପରିଷଦ ସେହି ବନ୍ଦ ଲଫାପାକୁ ଖୋଲିବେ। ଏହାପରେ କାବୁସ ଉଲ୍ଲେଖ କରିଥିବା ବ୍ୟକ୍ତି ହିଁ ଓମାନର ନୂଆ ସୁଲତାନ ହେବେ। ମିଳିଥିବା ସୂଚନା ଅନୁଯାୟୀ, ଓମାନର ସଂସ୍କୃତି ମନ୍ତ୍ରୀ ହାଇଥମ ବିନ ତାରିକ ଅଲ୍ ସୈଦ ଓମାନର ନୂଆ ସୁଲତାନ ଭାବେ ଶନିବାର ଶପଥ ନେଇଛନ୍ତି।