Categories: ମେଟ୍ରୋ

ଓଡିଏମ୍‌ରେ ‘ଜେଜେମା-ଜେଜେବାପା’ ଦିବସ: ଶିଶୁର ବ୍ୟକ୍ତିତ୍ୱ ବିକାଶ ପରିବାରରୁ ଆରମ୍ଭ ହୁଏ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଜୀବନ ହିଁ ପ୍ରକୃଷ୍ଟ ସାଧନାର ସମୟ। ଗୁଣାତ୍ମକ ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ହିଁ ବିଦ୍ୟାର୍ଥୀ ଜୀବନ ଠିକ୍‌ ମାର୍ଗ ଦର୍ଶନ କରିଥାଏ। ଏ କ୍ଷେତ୍ରରେ ମାତାପିତା, ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁର ବ୍ୟକ୍ତିତ୍ୱ ବିକାଶ ପରିବାରରୁ ହିଁ ଆରମ୍ଭ ହୋଇଥାଏ ବୋଲି ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ଶନିବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ୩୧ତମ ବାର୍ଷିକୋତ୍ସବ ‘ସ୍ପେକ୍ଟ୍ରା-୨୦୧୯’ ଅବସରରେ ପୂଜ୍ୟପୂଜା ସମାରୋହ ଓ ଜେଜେମା-ଜେଜେବାପା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାଣିଗ୍ରାହୀ କହିଲେ, ଭାରତୀୟ ସଂସ୍କୃତି ଓ ପରମ୍ପରାରେ ପୂଜ୍ୟପୂଜା ସ୍ଥାନ ସ୍ବତନ୍ତ୍ର। ଏହି ଅତୀତ ଗୌରବକୁ ସ୍ମରଣ କରିବା ସହ ଛାତ୍ରୀଛାତ୍ର ଗୁରୁ-ଗୁରୁଜନ ଏବଂ ମାତାପିତାଙ୍କ ପାଇଁ ଜୀବନ ଉତ୍ସର୍ଗ କରିବା ଭଳି କାର୍ଯ୍ୟ କଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ପାଣିଗ୍ରାହୀ ବିଦ୍ୟାଳୟର ବହୁମୁଖୀ ଯୋଜନା, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ଡ. ପି.କେ. ଦାସ, ସଦସ୍ୟା ଡ. ଜ୍ୟୋତ୍ସ୍ନା ମହାପାତ୍ର, ସିଓଓ ସ୍ବୟନ୍‌ ସତ୍ୟେନ୍ଦୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷା ଝିନୁକ୍‌ ଦାରାୟ ପରିଚାଳନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।