ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି ଲାଗି ପ୍ରସ୍ତୁତି

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି। କମ୍ପାନୀର ଆର୍ଥିକ ସ୍ଥିତି ବେହାଲ ହୋଇଯାଇଥିବା ବେଳେ ତୈଳ କମ୍ପାନୀଙ୍କର ପ୍ରାୟ ୫ହଜାର କୋଟି ଟଙ୍କା ବାକି ରହିଛି। ଆସନ୍ତା ସପ୍ତାହରେ ବିକ୍ରି ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନିଆଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ, ମନ୍ତ୍ରିଗୋଷ୍ଠୀର ବୈଠକ ଆରମ୍ଭ ହେବା ପୂର୍ବରୁ ଏକ ଆଭ୍ୟନ୍ତରୀଣ ବୈଠକ ଅନୁଷ୍ଠିତ ହେବ। ଏହାପରେ ସରକାର ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ। କମ୍ପାନୀ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ କହିଥିଲେ ଯେ, ଏୟାର ଇଣ୍ଡିଆକୁ ପ୍ରତି ମାସରେ କର୍ମଚାରୀଙ୍କ ଦରମା ବାବଦରେ ଅତି କମ୍‌ରେ ୩୦୦ କୋଟି ଟଙ୍କା ଦରକାର। କମ୍ପାନୀ ନିକଟରେ କେବଳ ଅକ୍ଟୋବର ପର୍ଯ୍ୟନ୍ତ ଦରମା ଅର୍ଥ ରହିଛି।