ଏୟାରପୋର୍ଟରେ ଖାଦ୍ୟ ଯୋଗାଉଛି ରୋବୋ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଭାରତର ପ୍ରଥମ ଖାଦ୍ୟ ବିତରଣକାରୀ ରୋବୋକୁ ଅବସ୍ଥାପିତ କରାଯାଇଛି। ଏଆଇ ଚାଳିତ ଏହି ରୋବୋ ଏୟାରପୋର୍ଟର ଅନ୍ତର୍ଜାତୀୟ ଟର୍ମିନାଲ ଗେଟ୍‌ ନମ୍ବର ୩୩, ୩୪, ୩୫ ସହ ଘରୋଇ ଟର୍ମିନାଲ ଗେଟ୍‌ ନମ୍ବର ୧୧୦ ଏବଂ ୧୧୧ରେ ଥିବା ଯାତ୍ରୀମାନଙ୍କୁ ଭୋଜନ ଓ ପେୟ ସାମଗ୍ରୀ ପହଞ୍ଚାଉଛି। ବିମାନବନ୍ଦରରେ ଚେକ୍‌-ଇନ୍‌ ସରିବା ପରେ ଯାତ୍ରୀମାନେ ଏୟାରପୋର୍ଟର କିଓସ୍କକୁ ଯାଇ ଖାଇବା ମେନ୍ୟୁକୁ ସିଲେକ୍ଟ କରିବା ସହ କ୍ୟୁଆର୍‌ କୋଡ୍‌ ସ୍କାନିଂ କରି ଦେୟ ପୈଠ କରିବେ। ଏହାପରେ ଯାତ୍ରୀଙ୍କ ଫୋନ୍‌କୁ ଏକ ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବାର୍ଡ (ଓଟିପି) ଆସିବ। କିଛି ସମୟ ମଧ୍ୟରେ ଅର୍ଡର ହୋଇଥିବା ଖାଦ୍ୟ ପ୍ରସ୍ତୁତ ହେବା ପରେ ଉକ୍ତ ଫୁଡ୍‌ ଡେଲିଭରି ରୋବୋ ଏହି ଖାଦ୍ୟକୁ ଉଠାଇ ସୁରକ୍ଷିତ ଭାବେ ନିଜ କମ୍ପାର୍ଟମେଣ୍ଟରେ ରଖିଥାଏ। ପରେ ରୋବୋ ଯାତ୍ରୀଙ୍କ ଗେଟ୍‌ ନିକଟକୁ ଯାଇଥାଏ। ଯାତ୍ରୀମାନେ ରୋବୋରେ ସଂଲଗ୍ନ ସ୍କ୍ରିନ୍‌ରେ ଓଟିପି ଦେଇ ନିଜ ଖାଦ୍ୟକୁ ଅନ୍‌ଲକ୍‌ କରିଥାନ୍ତି।

Share