ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି ଲଣ୍ଡନ୍‌ରେ। ଏଠାରେ ‘ଗ୍ରାଣ୍ଟ ଟ୍ରି’ ନାମକ ଏକ କମ୍ପାନୀର ମାଲିକ କର୍ମଚାରୀଙ୍କ ଦରମା ବଢ଼ାଇ ନ ଥାନ୍ତି। ସମସ୍ତ କର୍ମଚାରୀ ସେମାନଙ୍କ ଦରମା ନିଜ ଇଚ୍ଛାରେ ବଢ଼ାଇଥାନ୍ତି।  କମ୍ପାନୀର କର୍ମଚାରୀମାନେ ଦରମା ବଢ଼ାଇବାକୁ ହେଲେ ମାଲିକଙ୍କ ନିକଟକୁ ଯିବାକୁ ପଡ଼େ ନାହିଁ। ସହକର୍ମୀଙ୍କ ସହ ଆଲୋଚନା କରି ଦରମା ନିଷ୍ପତ୍ତି କରିଥାନ୍ତି। ଏଥିରେ ମାଲିକଙ୍କର କୌଣସି ଆପତ୍ତି ମଧ୍ୟ ନ ଥାଏ।

ଉକ୍ତ କମ୍ପାନୀ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଏହା ପଛରେ ଏଠାରେ କାମ କରୁଥିବା ୨୫ ବର୍ଷୀୟ ଯୁବତୀ ସିସିଲିୟା ମାଡୁକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମହିଳା କର୍ମଚାରୀ ଜଣକ ନିଜର ଦରମା ନିଜେ ବଢ଼ାଇ ଦେଇଛନ୍ତି। ୨୭ ଲକ୍ଷ ଦରମା ପାଉଥିବାବେଳେ ୩୩ ଲକ୍ଷକୁ ବଢ଼ାଇଛନ୍ତି। ସିସିଲିୟା ପ୍ରଥମେ ସହକର୍ମୀଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ତାଙ୍କର ଦରମା ବଢ଼ିବା ପାଇଁ ମତ ଦେଇଥିଲେ। ଉକ୍ତ କମ୍ପାନୀର ଆଉ ଏକ ଖାସ୍‌ କଥା ହେଲା ଏଠାରେ କାମ କରୁଥିବା ୪୫ ଜଣ କର୍ମଚାରୀ ନିଜର ଦରମା ନିଜେ ବଢ଼ାଇଥାନ୍ତି।