Categories: ମେଟ୍ରୋ

ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହୋଇଥିବା ଏସ୍‌ଏସ୍‌ବି ଅଧ୍ୟାପକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ଅନେକ ଛାତ୍ରୀଛାତ୍ର ମୌଖିକ ପରୀକ୍ଷା ଲାଗି ମନୋନୀତ ହୋଇଛନ୍ତି। ଆସନ୍ତା ୧୮ରୁ ଜୁଲାଇ ୩ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଭେରିଫିକେଶନ କରିପାରିବେ। ପରୀକ୍ଷାର୍ଥୀମାନେ ଏସ୍‌ଏସ୍‌ବିର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ssbodisha.nic.inରେ ଫଳାଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୦ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୮୩୩(ମହିଳା ୨୭୩) ସିଟ୍‌ ପାଇଁ ଏହି ପରୀକ୍ଷା ହୋଇଛି। ଏଥିମଧ୍ୟରେ ଏସ୍‌ଟି ପାଇଁ ୧୮୩, ଏସ୍‌ସି ପାଇଁ ୧୩୨, ଏସ୍‌ଇବିସି ପାଇଁ ୯୦, ୟୁଆର୍‌ ପାଇଁ ୪୨୮ ସିଟ୍‌ ରହିଛି। ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ସହିତ କ୍ୟାରିୟର ଓ ମୌଖିକ ପରୀକ୍ଷା ମଧ୍ୟ ରହିଛି। ମୋଟ ୨୦୦ ମାର୍କ ପରୀକ୍ଷା ମଧ୍ୟରେ ଲିଖିତ ପରୀକ୍ଷା ୧୬୫ ମାର୍କର ହୋଇଥିଲା। କ୍ୟାରିୟର ପାଇଁ ୨୫ ଓ ମୌଖିକ ପାଇଁ ୧୦ ମାର୍କ ରହିଛି।