ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ସୌରଭଙ୍କୁ ରୌପ୍ୟ

ଦୋହା, ୧୧।୧୧(ପି.ଟି.)- ଭାରତୀୟ ଟିନ୍‌ଏଜ୍‌ ଶୁଟର ସୌରଭ ଚୌଧାରୀ ଏଠାରେ ଚାଲିଥିବା ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ୧୭ ବର୍ଷୀୟ ସୌରଭ ୨୪୪.୫ ପଏଣ୍ଟ ଶୁଟ୍‌ କରି ଦ୍ୱିତୀୟ ସ୍ଥାନରେ ରହିବା ସହ ଏହି ସଫଳତା ପାଇଛନ୍ତି। ଅନ୍ୟପଟେ ଉତ୍ତର କୋରିଆର କିମ୍‌ ସଙ୍ଗ ଗୁକ୍‌ ୨୪୬.୫ ପଏଣ୍ଟ ସ୍କୋର କରି ବିଶ୍ୱ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଇରାନର ଫୋରେଉଘି ଜାଭେଦ ୨୨୧.୮ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ପଦକ ଜିତିଛନ୍ତି।
୫୮୩ ସ୍କୋର କରି ସୌରଭ ଓ ଅଭିଷେକ ବର୍ମା ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ରହି ଫାଇନାଲରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିଲେ। ଫାଇନାଲରେ ୮ଜଣ ଶୁଟର ଭାଗ ନେଇଥିଲେ। ଅଭିଷେକ ୧୮୧.୫ ପଏଣ୍ଟ ସ୍କୋର କରି ପଞ୍ଚମ ସ୍ଥାନରେ ରହିଥିଲେ। ଉଲ୍ଲେଖଥାଉ କି, ପୂର୍ବରୁ ସୌରଭ ଓ ଅଭିଷେକ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଭାରତ ଓ ଚାଇନା ସର୍ବାଧିକ ୨ଟି କୋଟା ପ୍ଲେସ ହାସଲ କରି ସାରିଥିବାରୁ ଏହି ପ୍ରତିଯୋଗିତାରେ ଏୟାର ପିସ୍ତଲ କୋଟାଗୁଡିକ ଇରାନ, ଉତ୍ତର କୋରିଆ ଓ ପାକିସ୍ତାନ ହାସଲ କରିଛନ୍ତି।