2019 Test Matches: India
ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍ ହକି ପ୍ରୋ ଲିଗ୍ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଗତ ବର୍ଷ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ପ୍ରୋ ଲିଗ୍ରେ ବିଜୟ ସହ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଡିସେମ୍ବର ୨୯ରୁ ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳର କୋଚିଂ କ୍ୟାମ୍ପ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ପୂର୍ବ କ୍ୟାମ୍ପରେ ଖେଳାଳିଙ୍କ ଶକ୍ତି ବୃଦ୍ଧି ପାଇଁ ଜିମ୍ ଏବଂ ହେଭି ଓ୍ବାର୍କଲୋଡ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ଏହି କ୍ୟାମ୍ପରେ ଖେଳ କୌଶଳ ଏବଂ ମ୍ୟାଚପରେ କିପରି ଶରୀର ଶୀଘ୍ର ରିକୋଭରି କରିବ ତା ଉପରେ ଫୋକସ କରାଯାଉଛି। ”ପ୍ରୋ ଲିଗ୍ରେ ଆମକୁ ଲଗାତର ମ୍ୟାଚ ଖେଳିବାକୁ ପଡ଼ିବ। ରିକୋଭରି ପାଇଁ ୨୪ ଘଣ୍ଟାରୁ କମ୍ ସମୟ ମିଳିବ। ତେଣୁ ଟ୍ରେନିଂ ସେସନରେ ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ସେସନରେ କଠିନ ପରିଶ୍ରମ କରୁଥିବାବେଳେ ଅନ୍ୟ ସେସନରେ ବିଶ୍ରାମ ନେଉଛୁ କିମ୍ବା ହାଲ୍କା ଅଭ୍ୟାସ କରୁଛୁ“ ବୋଲି ଭାରତୀୟ ଦଳର ତାରକା ଫରଓ୍ବାର୍ଡ ମନଦୀପ ସିଂ ପ୍ରକାଶ କରିଛନ୍ତି।
ପୂର୍ବ ଟ୍ରେନିଂ କ୍ୟାମ୍ପରେ ଜିମ୍ ସହିତ ହେଭି ଓ୍ବାର୍କଲୋଡ୍ ସହ ଷ୍ଟ୍ରେନ୍ଥ ଟ୍ରେନିଂ ଉପରେ ଫୋକସ କରାଯାଉଥିଲା। ରବିନ ଆର୍କେଲ(ବୈଜ୍ଞାନିକ ପରାମର୍ଶଦାତା) ଅତ୍ୟଧିକ କଷ୍ଟସାଧ୍ୟ ଜିମ୍ ସେସନ ଉପରେ ଗୁରୁତ୍ୱ ଦେଉଥିଲେ। ଆମ ଦଳର ସମସ୍ତ ଖେଳାଳି ଫିଟ୍ ଥିଲେ ହେଁ ଅଧିକ ଶକ୍ତିଶାଳୀ ହେବା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଫଳରେ ଏଥର ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ପୂର୍ବାପେକ୍ଷା ଯଥେଷ୍ଟ ଭଲ ରହିଥିଲା। ଆଗାମୀ ୭-୮ ମାସ ମଧ୍ୟରେ ସ୍ପିଡ୍ ଏବଂ ଫିଟ୍ନେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଳାନ୍ତ ନ ହୋଇ ଖେଳିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି। ଭାରତ-ନେଦରଲାଣ୍ଡ୍ସ ମ୍ୟାଚଗୁଡ଼ିକ ସାଧାରଣତଃ ସଂଘର୍ଷପୂର୍ଣ୍ଣ ହୋଇଥାଏ। ଏଥର ମଧ୍ୟ ବିଲି ବାକରଙ୍କ ଦଳକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା ରଖିଛନ୍ତି ମନଦୀପ। ”ଆମେ ନେଦରଲାଣ୍ଡ୍ସ ବିପକ୍ଷରେ ଗତବର୍ଷ ଖେଳିନାହୁଁ। ଦଳଗତଭାବେ ଆମେ ପୂର୍ବାପେକ୍ଷା ଉନ୍ନତି କରିଛୁ। ଏହା ବ୍ୟତୀତ ଘରୋଇ ପରିବେଶରେ ଆମେ ଖେଳିବାକୁ ଯାଉଛୁ। ତେଣୁ କେବେହେଲେ ଦର୍ଶକଙ୍କୁ ନିରାଶ ହେବାକୁ ଦେବାକୁ ଚାହିଁବୁନି। ବିଜୟ ସହ ବର୍ଷ ଆରମ୍ଭ କରିବା ଆମର ଲକ୍ଷ୍ୟ“ ବୋଲି ଗତବର୍ଷ ଅଧିକ ଗୋଲ ସ୍କୋର କରିଥିବା ମନଦୀପ ପ୍ରକାଶ କରିଛନ୍ତି।
ଫରଓ୍ବାର୍ଡ ଲାଇନ୍ ସହ ଉତ୍ତମ ଯୋଗାଯୋଗ ରହିଲେ ଯାଇ ଅଧିକରୁ ଅଧିକ ଗୋଲ ସ୍କୋର ହୋଇପାରିବ ବୋଲି ତାଙ୍କ ମତ। ”ସାଥୀ ଖେଳାଳିଙ୍କ ସହଯୋଗ ରହିଲେ ଯାଇ ଫରଓ୍ବାର୍ଡ ଖେଳାଳିମାନେ ଅଧିକ ଗୋଲ ଦେଇ ପାରିବେ। ଆମେ ସାଥୀହୋଇ ଅଭ୍ୟାସ କରୁଥିବାରୁ ଏସ.ଭି. ସୁନୀଲ, ରମଣଦୀପ ସିଂ ଓ ଆକାଶଦୀପ ସିଂଙ୍କ ସହ ମୋର ବୁଝାମଣା ଭଲ ରହିଛି। ଆମେ କିଭଳି ଏବଂ କେଉଁ ପରିସ୍ଥିତିରେ ଗ୍ୟାପ୍ ବାହାର କରିପାରିବୁ ଏବଂ ସୁଯୋଗ ସୃଷ୍ଟି କରିବୁ ତାହାକୁ ନେଇ ଆମେ ପଡ଼ିଆ ବାହାରେ ମଧ୍ୟ ଆଲୋଚନା କରୁଛୁ। ଜଣେ ଷ୍ଟ୍ରାଇକରଭାବେ ଏହା ମୋତେ ବ୍ୟକ୍ତିଗତଭାବେ ବହୁତ ସହାୟକ ହୋଇଛି“ ବୋଲି ମନଦୀପ କହିଛନ୍ତି।