Categories: Home Middleଖେଳ

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ ସ୍ଥଗିତ

ନୂଆକଦିଲ୍ଲୀ, ୧୪।୩(ପି.ଟି.)-
ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହା ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାର ଥିଲା। ”କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି“ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଦିଲ୍ଲୀଭିତ୍ତିକ ଫ୍ରାଚାଇଜ୍‌। ମାତ୍ର ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ସମସ୍ତ ପ୍ରକାର କ୍ରୀଡ଼ାଭିତ୍ତିକ କାର୍ଯ୍ୟକୁ ସ୍ଥଗିତ ରଖିବାରୁ ବିସିସିଆଇ ବାଧ୍ୟହୋଇ ଏପରି ନିଷ୍ପତ୍ତି ନେଇଛି। ଆଇପିଏଲକୁ ସାମୟିକଭାବେ ବନ୍ଦ ରଖାଯାଇଛି, ସମ୍ପୂର୍ଣ୍ଣ ଭାବେ ନୁହେଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହା ଏପ୍ରିଲ ୧୫ରେ ଆରମ୍ଭ ହେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଯଦି ବି ଆରମ୍ଭ ହୁଏ ତେବେ ବିନା ଦର୍ଶକରେ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ଏ ସମ୍ପର୍କରେ ଶନିବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ। ”ଭାରତ ସରକାର, କେନ୍ଦ୍ର କ୍ରୀଡ଼ା ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ସହିତ ବିସିସିଆଇ ସମ୍ପର୍କରେ ଅଛି“ ବୋଲି ଶାହା କହିଛନ୍ତି।
ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଗୋଟିଏ ଦିନରେ ସୀମିତ ସଂଖ୍ୟକ ଡବଲ ଆଇପିଏଲ ମ୍ୟାଚ୍‌ ରହିଥିଲା। ମାତ୍ର ଆଗାମୀ ଦିନରେ ଯଦି ଏହି ଲିଗ୍‌ ସମ୍ଭବ ହୁଏ ତେବେ ଅଧିକ ଡବଲ ମ୍ୟାଚ୍‌ ହୋଇପାରେ। ମହାରାଷ୍ଟ୍ର, କର୍ନାଟକ ଓ ଦିଲ୍ଲୀ ଗେମ୍‌ ପାଇଁ ଅନୁମତି ଦେବାକୁ ମନା କରିଦେବାରୁ ବିସିସିଆଇ ଆଉ ୫ଟି ଭେନ୍ୟୁକୁ ପ୍ରସ୍ତୁତ କରି ରଖିଛି। ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଦେଶୀ ଖେଳାଳିଙ୍କ ଭିସା ଉପରେ କଟକଣା ରହିଛି। ବିନା ବିଦେଶୀ ଖେଳାଳିରେ ଆଇପିଏଲର କିଛି ମାନେ ନାହିଁ ବୋଲି ଫ୍ରାଞ୍ଚାଇଜ୍‌ମାନେ ମତ ପ୍ରକାଶ କରିଛନ୍ତି। ଯଦି ସବୁ ଠିକ୍‌ ରୁହେ ଏବଂ ବିସିସିଆଇ ଆଇପିଏଲ ଏପ୍ରିଲ ୧୫ରେ ଆରମ୍ଭ କରେ ତେବେ ଏହା ୪୦ ଦିନ ବିଶିଷ୍ଟ ହେବ।

Share