ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍‌, ଫେଡରର, ନାଡାଲଙ୍କ ପ୍ରସ୍ତାବ

ପ୍ୟାରିସ,୨୩।୪ (ଏଏଫ୍‌ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ ପ୍ରତିଷ୍ଠାତା ବିଲି ଜିନ୍‌ କିଙ୍ଗ୍‌, ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ ତାରକା ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲ ଏଟିପି ଓ ଡବ୍ଲ୍ୟୁଟିଏର ବିଲୟ ପାଇଁ ମିଳିତ ଭାବେ ପ୍ରସ୍ତାବ ଦେଇଛନ୍ତି। ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଫେଡରର ପ୍ରଥମେ ଟୁଇଟ୍‌ କରି ଏ ନେଇ ପ୍ରସ୍ତାବ ଦେଇଥିଲେ। ଏହାପରେ ନାଡାଲ ଓ କିଙ୍ଗ୍‌ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏବେ ପୁରୁଷ ଓ ମହିଳା ଟେନିସ ଏକାଠି ହେବାର ସମୟ ଆସି ଉପନୀତ ହୋଇଛି। ମହିଳା ଓ ପୁରୁଷ ଟେନିସ କୋର୍ଟ ନୁହଁ ଦୁଇଟି ପ୍ରଶାସନିକ ସଂଗଠନର ବିଲୟ ହେଉ। ପୁରୁଷ ଓ ମହିଳା ଟେନିସ୍‌ର ପେସାଦାର ଟୁର ସମ୍ପର୍କରେ ଏହି ଦୁଇ ସଂଗଠନ କାର୍ଯ୍ୟ କରିଥାନ୍ତି। ଏହି ଦୁଇ ଗଭର୍ଣ୍ଣିଂ ବଡିର ବିଲୟ ଚାହୁଁଛୁ ବୋଲି ଫେଡରର କହିଛନ୍ତି।
ସେହିପରି ୧୯୭୩ରେ ଡବ୍ଲ୍ୟୁଟିଏ ପ୍ରତିଷ୍ଠା କରିଥିବା କିଙ୍ଗ୍‌ ମଧ୍ୟ ସମାନ ମତ ରଖିଛନ୍ତି। କେତେ ଦଶନ୍ଧି ପୂର୍ବରୁ ଏ ନେଇ ମୋର ସମର୍ଥନ ରହିଆସିଛି। ୧୯ ଗ୍ରାଣ୍ଡସ୍ଳାମ ଟାଇଟଲ ଜିତିଥିବା ନାଡାଲ ମଧ୍ୟ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଫେଡରରଙ୍କ କଥାକୁ ସମର୍ଥନ କରିଛନ୍ତି। ଏହା ଟେନିସର ବୃହତ୍ତର ସ୍ବାର୍ଥ ସାଧନ କରିବ ଓ ଟେନିସ ଆହୁରି ଦୃଢ ହୋଇପାରିବ ବୋଲି ନାଡାଲ କହିଛନ୍ତି। ବହୁ ପୂର୍ବରୁ ଦୁଇଟି ସଂସ୍ଥାର ବିଲୟ ହେବାର ଥିଲା। ଚଳିତ ପଦ୍ଧତିରେ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ, ଭିନ୍ନ ଭିନ୍ନ ଲୋଗୋ, ଭିନ୍ନ ଓ୍ବେବ୍‌ସାଇଟ୍‌, ଭିନ୍ନ ଟୁର୍ନାମେଣ୍ଟ କାଟାଗୋରୀକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ସେହିପରି ୩ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଷ୍ଟାନିସ୍‌ଲାସ ଓ୍ବାରିଙ୍କା ଏନେଇ ଏଟିପି ଚେୟାରମ୍ୟାନ ଆଣ୍ଡିଆ ଗାଉଡେଞ୍ଜିଙ୍କ ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି। ଅଷ୍ଟ୍ରେଲୀୟ ତାରକା ଖେଳାଳି ନିକ୍‌ କିର୍ଗିୟସ, ଦୁଇଥର ଗ୍ରାଣ୍ଡସ୍ଲାମ ଜିତିଥିବା ରୋମାନିଆର ସିମୋନା ହାଲେପ ଏହି ପ୍ରସ୍ତାକୁ ସମର୍ଥନ ଜଣାଇଛନ୍ତି।