Thief Stealing Burglar Identity Burglary Crime Criminal
ବ୍ରହ୍ମପୁର ଅଫିସ,୧୦ା୧୧- ଗ୍ରାହକଙ୍କ ପାଖରେ ଅଛି ଏଟିଏମ୍ କାର୍ଡ। ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍ ନମ୍ବର ମଧ୍ୟ କେହି ଜାଣିନାହାନ୍ତି। କିନ୍ତୁ ଅପଣାଛାଏ ଉଠୁଛି ଟଙ୍କା ଗ୍ରାହକଙ୍କ ଅଜାଣତରେ। ଏବେ ବାରମ୍ବାର ଏଭଳି ଟଙ୍କା ଉଠୁଥିବା ଘଟଣା ଦୃଷ୍ଟିକୁ ଆସୁଛି। ତେବେ ଏହି ଟଙ୍କା ଉଠାଉଛି କିଏ। ଗ୍ରାହକ ଟଙ୍କା ଉଠାଉ ନ ଥିବା ବେଳେ କିଏ ଟଙ୍କା ଉଠାଉଛି ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ବ୍ରହ୍ମପୁର ସହରରେ ଦିନକୁ ଦିନ ଏଭଳି ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ଧାରାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଅଞ୍ଚଳରେ ରହୁଥିବା ଜଣେ ଛାତ୍ର ବଳରାମ ଗୌଡ଼ଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠାଣ ହୋଇଛି। ଯାହାକି ଏବେ ଉପଭୋକ୍ତାଙ୍କ ମଧ୍ୟରେ ଭାଳେଣି ପଡିଛି। ଦିନକୁ ଦିନ ସାଇବର ଅପରାଧ କାୟା ବିସ୍ତାର କରିବାରେ ଲାଗିଛି। ଗତ କିଛି ମାସ ତଳେ ଗଞ୍ଜାମ ଜିଲାରେ ଏଭଳି ଲଗାତର ବ୍ୟବଧାନରେ ୧୨ ରୁ ଊର୍ଦ୍ଧ୍ୱ ଘଟଣା ଦୃଷ୍ଟିକୁ ଆସିଛିି। ପୂର୍ବରୁ ଲୁଟେରାମାନେ ଗ୍ରାହକଙ୍କ ଏଟିଏମ୍ କାର୍ଡ ଓ ପିନ୍ ନମ୍ବର ଚୋରି କରି ତାଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେଉଥିବା ବେଳେ ଏବେ ସ୍କିମର ଓ ମୋବାଇଲ ଫୋନକୁ ଏକ ଲିଙ୍କ ପଠାଇ ତାହାକୁ କ୍ଲିକ କରିବାକୁ କହି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ଛତ୍ରପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବଳରାମ ଗୌଡ଼ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ରହ୍ମପୁର ଆସି ଆଙ୍କୁଲି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ। ଗତ ୧ ତାରିଖରେ ତାଙ୍କ ମୋବାଇଲ ଫୋନକୁ ଏକ ଲିଙ୍କ ମେସେଜ୍ ଆସିଥିଲା। ଯାହାକୁ ସେ କ୍ଲିକ କରିଥିଲେ ବାସ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଲଗାତର ଭାବେ ୧୦ ହଜାର ଟଙ୍କା ଲେଖାଏ ୧୦ ଥର ଉଠାଣ ହୋଇଥିଲା। ସେ କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠା ଯାଇଥିଲା। ଛାତ୍ର ଜଣକ ଏନେଇ ଶନିବାର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ନଂ.୨୫୭/୧୯ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।