Categories: ମେଟ୍ରୋ

ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା

କଟକ ଅଫିସ, ୨୨ା୭ : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରେ ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଗତ ଶନିବାର ତାଙ୍କ ମା’ ଅଭିଯୋଗ କରିଥିଲେ। ତେବେ ଏ ନେଇ ପୋଲିସ କିମ୍ବା ଶିଶୁମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନ ଥିଲା। ଫଳରେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ରବିବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏ ନେଇ ମାମଲା ରୁଜୁ ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟନ୍ତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏଥିସହିତ ପୀଡ଼ିତାଙ୍କ ପରିବାରକୁ ଓଡ଼ିଶା ଭିକ୍ଟିମ କମ୍ପେନସେସନ ସ୍କିମ୍‌ରେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୩ ବର୍ଷ ତଳେ ବଲାଙ୍ଗୀର ସହରର ଉକ୍ତ ପୀଡ଼ିତା ଏଚ୍‌ଆଇଭି ସଂକ୍ରମିତ ଥିଲେ। ଫଳରେ ତାଙ୍କ ପରିବାର ଲୋକ ସିଡବ୍ଲ୍ୟୁସି ଜରିଆରେ ଭବାନୀପାଟଣାସ୍ଥିତ ଉକ୍ତ ଆଶ୍ରମରେ ପୀଡ଼ିତାଙ୍କୁ ରଖିଥିଲେ। ସେଠାରେ ଝିଅକୁ ଆଶ୍ରମର ମାଲିକ ଏବଂ କର୍ମଚାରୀମାନେ ଯୌନ ନିର୍ଯାତନା ଦେଉଥିବା ତାଙ୍କ ମା’ ଅଭିଯୋଗ କରିଥିଲେ। ଏଥିସହ ତାଙ୍କ ଝିଅକୁ ଘରକୁ ନେଇ ଯାଇଥିଲେ।