ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ଦୀପାବଳି ଧୁମ୍‌ଧାମରେ ପାଳନ କରାଯାଇ ନ ଥିଲେ ବି ଦେଶର କେତେକ ଅଞ୍ଚଳରେ କିଛି ଘଣ୍ଟା ପାଇଁ ପାଳନ କରାଯାଇଥିଲା। ଏହାକୁ ଆମେ ଆଧ୍ୟାମତ୍ିକ ଦୃଷ୍ଟିକୋଣରୁ ଦେଖୁଥିବାବେଳେ ଚେନ୍ନାଇର ହାଫିଜ ଖାଁ ପରିବେଶକୁ ବାଣ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ, ବାଣ ଫୁଟିବା ପରେ ଫାୟାରକ୍ରାକର କେସ୍‌ ବା ବାଣଖୋଳ ସଂଗ୍ରହ କରି ସେଥିରେ ଚାରା ଉତାରୁଛନ୍ତି। ଗତ ବର୍ଷ ସେ ପ୍ରଥମେ ଏଭଳି ଅଭିଯାନ ଆରମ୍ଭ କରି ୨୭,୦୦୦ଖୋଳ ସଂଗ୍ରହ କରିଥିଲେ। ଚଳିତବର୍ଷ ହାଫିଜ ୮୦,୦୦୦ ଖୋଳ ସଂଗ୍ରହ କରିଛନ୍ତି। ସେ କମ୍ୟୁନିଟି ଟ୍ରି ଏନ୍‌ଜିଓ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏନ୍‌ଜିଓର ସଦସ୍ୟମାନେ ଘର ଘର ବୁଲି ରକେଟ୍‌ ସେଲ, ସିଲଣ୍ଡ୍ରିକାଲ କେସ୍‌,ଫ୍ଲାଓ୍ବାରପଟ୍‌ କିମ୍ବା ଫାଉଣ୍ଟେନ କ୍ରାକର ଆଦିର ଖୋଳ ସଂଗ୍ରହ କରୁଛନ୍ତି। ଯେଉଁ ମାନଙ୍କଠାରୁ ବାଣଖୋଳ ଆଣିଥାନ୍ତି ସେମାନଙ୍କୁ ସେଥିରେ ଗଛ ଲଗାଇ ଦେଇଥାନ୍ତି। ଯେଉର୍ଁମାନେ ଏହାକୁ ନେବାଲାଗି ଚାହାନ୍ତିନି ସେମାନେ ପୁଣି ଆମକୁ ତାହା ଫେରାଇ ଦିଅନ୍ତି ବୋଲି କହନ୍ତି ହାଫିଜ୍‌। ହାଫିଜଙ୍କ ବର୍ତ୍ତମାନ ବୟସ ୫୦। ସେ ଏବେ କମ୍ୟୁନିଟି ଟ୍ରି ନର୍ସରିରେ ୪୦,୦୦୦ ଚାରା ଉତାରିଛନ୍ତି। ଏଥି ମଧ୍ୟରେ ରହିଛି ପଣସ, ଅଁଳା,ପିଜୁଳି, ନିମ୍ବ ସମେତ ବିଭିନ୍ନ ପ୍ରକାର ଚାରା । ଏହି ଚାରାଗୁଡିକୁ ସେମାନେ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି। ବାଣ ଖୋଳରେ ଥିବା ରାସାୟନିକ ପଦାର୍ଥ ଦୂର କରିବା ଲାଗି ତାହାକୁ ଗୋବରରେ ସଫା କରି ଚାରା ଲଗାଯାଉଛି। ସେ ଏବେ ଚାରାକୁ ଅନ୍ୟ ରାଜ୍ୟରେ ବିକ୍ରି କରିବା ଲାଗି ଯୋଜନା କରୁଛନ୍ତି।