ଏଇ ଭାରତରେ

ପଶ୍ଚିମବଙ୍ଗର ଜଣେ ଝିଅ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ଗରିବ ମହିଳା ଓ ଶିଶୁମାନଙ୍କର ସାହାରା ପାଲଟିଛନ୍ତି। ମୁର୍ଶିଦାବାଦର କଟ୍‌ନା ଗାଁରେ ଜନ୍ମିତ କାଜି ସବ୍‌ନମ୍‌ ଅହମଦ ନାମକ ଏହି ଝିଅଙ୍କ ଜୀବନରେ ଘଟିଛି ଏଭଳି ଘଟଣା। ତାଙ୍କ ବାପା ଜଣେ ଆର୍ମି ଅଫିସର୍‌ ଥିଲେ ବି ତାଙ୍କ ବାହାଘର ମାତ୍ର ୧୬ ବର୍ଷ ବୟସରେ ହୋଇଥିଲା। ତିନୋଟି ପିଲାର ମା’ ହେବା ପରେ ଘରୋଇ ହିଂସା ସହ୍ୟ କରି ନ ପାରି ରାତିଅଧରେ ଛୋଟ ପୁଅକୁ ଧରି ଘର ଛାଡି ଚାଲିଆସିଥିଲେ। କିଛିଦିନ କୋଲକାତାର ରାସ୍ତାକଡରେ ଓ ପରେ ସିଆଲ୍‌ଦା ଷ୍ଟେଶନରେ ରହିିଥିଲେ। ଏହା ୭୦ ଦଶକ ଆରମ୍ଭର କଥା। ଏହି ସମୟରେ ସେ ଏକ କ୍ଲିନିକ୍‌ରେ ରିସେପ୍‌ଶନିଷ୍ଟ୍‌ ଭାବେ କାମ କରିଥିଲେ। ପରେ ଏକ ନାଇଟ୍‌ କଲେଜ୍‌ରୁ ଗୃହ ବିଜ୍ଞାନ ଓ ଇଣ୍ଟେରିୟର ଡିଜାଇନିଂରେ ଡିଗ୍ରୀ ହାସଲ କରି କୋଲକାତାରେ ଇଣ୍ଟେରିୟର ଷ୍ଟୁଡିଓ ଖୋଲିଥିଲେ। କିଛିଦିନ ପରେ ସେ ଦିଲ୍ଲୀ ଆସି ‘ସଲାମ ବମ୍ବେ’ ନାମକ ଏନ୍‌ଜିଓରେ ଯୋଗଦେଇ ଅବହେଳିତ ପିଲାଙ୍କ ଲାଗି ଦିଲ୍ଲୀ ରେଲ୍‌ଓ୍ବେ ଷ୍ଟେଶନରେ କାର୍ଯ୍ୟ କରୁଥିବା ସମୟରେ ଫିଲ୍ମ ନିର୍ମାତା ଜୁଗ୍‌ନୁ ରାମସ୍ବାମୀଙ୍କ ସହ ତାଙ୍କର ସାକ୍ଷାତ୍‌ ହୋଇଥିଲା। ରାମସ୍ବାମୀ ସବ୍‌ନମଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବା ପରେ ତାଙ୍କୁ ବିବାହ କରିଥିଲେ। ଏହାପରେ ସବ୍‌ନମ ରାମସ୍ବାମୀ କଟ୍‌ନା ଗାଁକୁ ଫେରି ଅବହେଳିତ ପିଲାମାନଙ୍କ ପାଇଁ ଜାଗୃତି ପବ୍ଲିକ୍‌ ସ୍କୁଲ୍‌ ଓ ପ୍ରଗତି ଶିକ୍ଷା ନିକେତନ ନାମକ ଦୁଇଟି ସ୍କୁଲ୍‌ ଖୋଲିଥିଲେ। ଏଥିରେ ଏବେ ୧୩୦୦ରୁ ଅଧିକ ପିଲା ପଢୁଛନ୍ତି। ୬୫ ବର୍ଷୀୟା ସବ୍‌ନମ ‘କଟ୍‌ନାର କନ୍ଥା’ ନାମକ ଏକ ସଂସ୍ଥା ଖୋଲି ସେଠାରେ କମ୍ବଳ ଓ ପୋଷାକ ତିଆରି କାର୍ଯ୍ୟରେ ପାଖାପାଖି ୩୦ଟି ଗାଁର ୧୪୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।