ଏଇ ଭାରତରେ

ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶକୁ ମଣିଷ ସ୍ବୀକାର କରୁଛି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ବସା ବାନ୍ଧିଥିବା ଅଜବ ବିଶ୍ୱାସ ଦୂର ହୋଇନାହିଁ। ଏମିତି ଏକ ବିଶ୍ୱାସରେ ବାନ୍ଧି ହୋଇଛନ୍ତି ହିମାଚଳପ୍ରଦେଶ କୁଲୁ ଜିଲାର ମନୁଋଷିଙ୍କ ଗାଁ ମନାଲିର ଅଧିବାସୀ। ଏଠାରେ ପ୍ରତିବର୍ଷ ୧୧ ଦିନ ଧରି ଚାଲେ ଫାଗଲି ଉତ୍ସବ। ବିଧିବିଧାନରେ ଏହା ପାଳନ କରାଯାଏ। ଲୋକମାନେ ଉତ୍ସବର ଶେଷଦିନରେ ମନାଲିରୁ ତୁଣ୍ଡିଆ ନାମକ ରାକ୍ଷସକୁ ତଡ଼ିଦିଅନ୍ତିି। ଏହି ଅବସରରେ ପୁରୁଣା ମନାଲି ପ୍ରାଙ୍ଗଣରେ ବିରାଜିତ ମନୁ ମହାରାଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଉତ୍ସବ ଆରମ୍ଭ ହୋଇଥାଏ, ଯାହା ଏଥର ବି କରାଯାଇଛି। ଆରାଧ୍ୟଦେବ ମନୁ ମହାରାଜା ମନାଲିର ପାଖାପାଖି ୪ଶହ ଘର ପରିକ୍ରମା କରି ଲୋକଙ୍କୁ ଆଶୀର୍ବାଦ ଦେଇଥିଲେ। ରାକ୍ଷସ ଆତଙ୍କରୁ ଘାଟିକୁ ରକ୍ଷା କରିବା ଲାଗି ଆରାଧ୍ୟଦେବ ମନୁଋଷି ମଣିଷ କେଶର ଗନ୍ଧ ଶୁଘାଂଇବା ଲାଗି ତାହା ସହ ବୁଝାମଣା କରିଥିବାର ମାନ୍ୟତା ରହିଛି। ପ୍ରତିବର୍ଷ ଭଳି ଏଥର ବି ଲୋକେ ପରସ୍ପରଙ୍କ ଚୁଟି ଜଳାଇ ଏଭଳି ଅଦ୍ଭୁତ ପରମ୍ପରା ପାଳନ କରିଛନ୍ତି। ଏହି ଉତ୍ସବ ପାଳନ କରିବା ପାଇଁ ମନାଲିବାସୀ ଗ୍ରାମଦେବଙ୍କ ଆଜ୍ଞା ନେଇ ୧୧ ଦିନ ଶାକାହାର ଗ୍ରହଣ କରିଥାନ୍ତି। କେବଳ ଏତିକି ନୁହେଁ , ଗାଁରୁ ତୁଣ୍ଡିଆ ରାକ୍ଷସକୁ ବାହାର କରିଦେବା ପରେ ଗ୍ରାମବାସୀ ତା’ର ପ୍ରଶଂସା ମଧ୍ୟ କରିଥାନ୍ତି । ଏହାଦ୍ୱାରା ବର୍ଷସାରା ଭୂତପ୍ରେତ କବଳରୁ ଗାଁ ସୁରକ୍ଷିତ ରହିବ ଓ ସୁଖ ସମୃଦ୍ଧି ବଢିବ ବୋଲି ଲୋକେ ବିଶ୍ୱାସ କରନ୍ତି। ଏବେ ମନାଲି ବ୍ୟତୀତ କୁଲୁ ଜିଲାର ଅଧିକାଂଶ ଗାଁରେ ଏହି ଉତ୍ସବ ପାଳନ କରାଯାଉଛି।