Umesh Yadav of India hits a six during day two of the third test match between India and South Africa held at the JSCA International Stadium Complex, Ranchi India on the 20th October 2019 Photo by Prashant Bhoot / SPORTZPICS for BCCI
ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଭାରତ ଇନିଂସର ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସିଥିବା ଉମେଶ ୧୦ ବଲରୁ ୩୧ ରନର ଦ୍ରୁତ ଇନିଂସ ଖେଳିଥିଲେ, ଯେଉଁଥିରେ ୫ଟି ବିଶାଳ ଛକା ରହିଥିଲା। ଉମେଶ ସାମ୍ନା କରିଥିବା ୧୦ଟି ଯାକ ବଲ୍ ଯଥାକ୍ରମେ ୬, ୬, ୦, ୧, ୬, ୦, ୬, ୦, ୬ ଓ ଉଇକେଟ୍ ଏହିପରି ଭାବେ ରହିଥିଲା। ସମସ୍ତ ୫ଟି ଛକା ସେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁମ ମାରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍ ଇତିହାସରେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ସାମ୍ନା କରିଥିବା ପ୍ରଥମ ୨ ବଲ୍କୁ ଛକା ମାରିବାର କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ଫୋଫି ଓ୍ବିଲିୟମ୍ସ ଇନିଂସରେ ସାମ୍ନା କରିଥିବା ପ୍ରଥମ ୨ ବଲରୁ ଛ’ ରନ ଲେଖାଏ ସଂଗ୍ରହ କରିଥିଲେ। ସେହିଭଳି ଟେଷ୍ଟ କ୍ରିକେଟ୍ରେ ଦ୍ରୁତ ୩୦+ ରନ୍ ସଂଗ୍ରହ କରିବାର ରେକର୍ଡ ଉମେଶଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୦୪ରେ ଫ୍ଲେମିଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ ବଲରୁ ଅପରାଜିତ ୩୧ ରନ୍ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନାମ୍ ମ୍ୟାକ୍ଲେନ (୧୨ ବଲ୍ ୩୧ ରନ), ଅବଦୁର୍ ରଜାକ (୧୭ ବଲ୍ ୪୩ ରନ), ଅଷ୍ଟ୍ରେଲିଆର ଡବ୍ଲ୍ୟୁ.ପି. ହୋଓ୍ବେଲ୍ (୧୫ ବଲ୍ ୩୫ ରନ) ପ୍ରମୁଖ ଏହି ତାଲିକାର ଟପ୍-୫ରେ ରହିଛନ୍ତି। ସେହିଭଳି ଏହି ଇନିଂସ ମଧ୍ୟରେ ଉମେଶ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଟେଷ୍ଟ ମ୍ୟାଚ୍ର ଗୋଟିଏ ଇନିଂସରେ ୧୦ ବଲ୍ ସାମ୍ନା କରିଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବାଧିକ ଷ୍ଟ୍ରାଇକରେଟ୍ ହାସଲ କରିଛନ୍ତି। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକରେଟ୍ ୩୧୦ ରହିଥିଲା।