Categories: ଅନୁଗୋଳ

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବନ୍ତଳା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲା। ହେଲେ ନାବାଳିକା ଜଣକ ଘରକୁ ଫେରିବାକୁ ରାଜି ହୋଇ ନ ଥିଲେ। ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ପ୍ରେମିକଙ୍କୁ ଫସାଇ ଜେଲ୍‌ ପଠାଇଥିବାରୁ ସେ ଏବେ ପ୍ରେମିକଙ୍କ ଘରେ ରହିବେ ବୋଲି ଜିଦ୍‌ ଧରିଥିଲେ। ଶେଷରେ ତାଙ୍କୁ ଏକ ବାଳାଶ୍ରମକୁ ପଠାଇ ଦିଆଯାଇଛି।
ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଯୁକ୍ତ ୨ ରେ ପଢ଼ୁଥିବା ତାଙ୍କ ଗଁାର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ଦିନ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିଲେ ବି ଉଭୟ ପରିବାର ଲୋକେ କିଛି ଜାଣି ନ ଥିଲେ। କିନ୍ତୁ ପ୍ରେମିକା ମାଟ୍ରିକ ପାସ୍‌ କରିବା ପରେ ଗତ ଏପ୍ରିଲରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ଘଟଣା ପଦାକୁ ଆସିଥିଲା। ଏପରି କି ନାବାଳିକା ଜଣକ ପ୍ରେମିକ ତାଙ୍କୁ ହଇରାଣ କରୁଥିବା ଘର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ଏହାପରେ ନାବାଳିକାଙ୍କ ଭାଇ ସମ୍ପୃକ୍ତ ପ୍ରେମିକଙ୍କୁ ତାଗିଦ୍‌ କରିଥିଲେ। ପ୍ରେମିକ ଜଣକ ରାଗରେ ମୋବାଇଲରେ ଥିବା ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ତାଙ୍କ ଭାଇଙ୍କ ମୋବାଇଲକୁ ପଠାଇ ଦେଇଥିଲେ। ଏହାପରେ ନାବାଳିକା ପରିବାର ଲୋକମାନେ ଝିଅକୁ ପ୍ରେମିକ ବଳାତ୍କାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ନଂ. ୮୦/୧୯ରେ ପୋଲିସ ଏକ ମାମଲା ରୁଜୁ କରି ପ୍ରେମିକଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ୮ ଦିନ ତଳେ ହଠାତ୍‌ ନାବାଳିକା ନିଜ ଘର ଛାଡ଼ି ପ୍ରେମିକଙ୍କ ଘରକୁ ଚାଲି ଆସିଥିଲେ। ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ବନ୍ତଳା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର ପରେ ନାବାଳିକା ଜଣକ ନିଜ ପରିବାର ବିରୋଧରେ ଅନେକ ଅଭିଯୋଗ କରିଥିଲେ। ସେ ଏବେ ବି ସମ୍ପର୍କରେ ଥିଲେ ବି ପରିବାର ଲୋକେ ଜାଣିଶୁଣି ପ୍ରେମିକଙ୍କୁ ଫସାଇ ଦେବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ତେଣୁ ସେ ନିର୍ଯାତନା ସହି ନ ପାରି ପ୍ରେମିକଙ୍କ ଘରକୁ ଚାଲି ଆସିଥିବା କହିଥିଲେ। ସେ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି ବୋଲି ଶୁଣାଇଦେବା ପରେ ପରିବାର ଲୋକମାନେ ମଧ୍ୟ ନାବାଳିକାଙ୍କୁ ଆଉ ସାଥିରେ ନେବା ପାଇଁ ମନା କରିଦେଇଥିଲେ। ଫଳରେ ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନାବାଳିକାଙ୍କୁ ବନ୍ତଳା ଥାନାର ଜଣେ ମହିଳା ଅଧିକାରୀ ଏକ ବାଳାଶ୍ରମକୁ ପଠାଇ ଦେଇଥିବା ଖବର ମିଳିଛି।
ଏ ସମ୍ପର୍କରେ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ କହିଛନ୍ତି, ଘରକୁ ଯିବାକୁ ସମ୍ପୃକ୍ତା ନାବାଳିକା ରାଜି ନ ହେବାରୁ ତାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।