ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେବା ସହ ସେ ତଳେ ପଡି ଯାଇଥିଲେ ଓ ଟ୍ରକର ଚକ ଚଢିଯାଇ ତାଙ୍କର ଗୋଟିଏ ଗୋଡ ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍‌ କରି ନିଜର ଦୁର୍ଘଟଣା ଖବର ଜଣାଇବା ବେଳେ ଚେତାଶୂନ ହୋଇ ପଡିଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ରାଜାରାମ କାନରେ ଇୟର ଫୋନ୍‌ ଲଗାଇଥିବାରୁ ତାଙ୍କୁ ଟ୍ରକ୍‌ର ହର୍ନ ଶୁଭି ନ ଥିଲା ଓ ଦୁର୍ଘଟଣା ହୋଇଥିଲା। ସୂଚନାଯୋଗ୍ୟ, ରାଜାରାମ ତାଙ୍କ ଶଳାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।