ଇରାନର ମିଶାଇଲ ଆକ୍ରମଣରେ ଆମେରିକାର ୧୧ସେନା ହୋଇଥିଲେ ଆହତ: ରିପୋର୍ଟ

ତେହେରାନ,୧୭।୧: ଆମେରିକା ଆକ୍ରମଣରେ ଇରାନର ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଇରାନ ଇରାକରେ ଥିବା ଆମେରିକାର ଏୟାର ବେସ୍‌ ଉପରେ ମିଶାଇଲ୍‌ ଆକ୍ରମଣ କରିଥିଲା। ଆଉ ଏହି ଆକ୍ରମଣରେ ୮୦ଜଣ ଆମେରିକା ସେନାଙ୍କ ମୃତ୍ୟୁ ହୋଇଥିବା ନେଇ ଇରାନ ଦାବି କରିଥିଲା। ହେଲେ ସେହି ସମୟରେ ଏହି ଦାବିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖଣ୍ଡନ କରିଥିଲେ। ଆଉ ଏଥିରେ କେହି ସେନା ଆହତ ହୋଇନାହାନ୍ତି ବୋଲି କହିଥିଲେ। କିନ୍ତୁ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜାନୁୟାରୀ ୮ରେ ଅଲ୍‌ ଅସଦ ଏୟାର ବେସ୍‌ରେ ଇରାନର ମିଶାଇଲ ଆକ୍ରମଣରେ ଆମେରିକାର ୧୧ଜଣ ସେନା ଆହତ ହୋଇଥିଲେ ବୋଲି ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି। ଆଉ ଏଥିରେ ଆହତ ହୋଇଥିବା ସେନା ଏବେ ବି ଚିକିତ୍ସିତ ହେଉଛନ୍ତି ବୋଲି ଗୁରୁବାର ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ବିଲ ଅର୍ବାନ ସୂଚନା ଦେଇଛନ୍ତି।