Categories: ମେଟ୍ରୋ

ଇନ୍‌ଫୋସିଟି, ଇନ୍‌ଫୋଭ୍ୟାଲି,ଏସ୍‌ଟିପିଆଇ ଅଞ୍ଚଳରେ ସୁରକ୍ଷାକୁ ଆଇଟି ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଇନ୍‌ଫୋଭ୍ୟାଲି, ଇନ୍‌ଫୋସିଟି ଏବଂ ଏସ୍‌ଟିପିଆଇ (ଗୋଠପାଟଣା) ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା, ନିୟମିତ ପାଟ୍ରୋଲିଂ, ନିଶାଖୋର ଏବଂ ମଦ୍ୟପ ଗୋଷ୍ଠୀଙ୍କ ଉପରେ କଡ଼ା ନଜର ସହ ରାସ୍ତାଘାଟର
ଉନ୍ନତୀକରଣ, କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ, ପାଚେରି ନିର୍ମାଣ, ଷ୍ଟ୍ରିଟ୍‌ଲାଇଟ୍‌ ମରାମତି, ଆଇଟି କମ୍ପାନୀଗୁଡ଼ିକୁ ଅଗ୍ନି ନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ ସହ ଭିତ୍ତିଭୂମିର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସର୍ବୋପରି ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଇଡ୍‌କୋ ସିଏମ୍‌ଡି ସଞ୍ଜୟ କୁମାର ସିଂ ଯୋଗଦେଇ ଉକ୍ତ ଅଞ୍ଚଳରେ ରାସ୍ତାଘାଟର ଉନ୍ନତୀକରଣ, କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ, ଫନୀ ବାତ୍ୟାରେ ନଷ୍ଟ ହୋଇଥିବା କ୍ୟାମ୍ପସ୍‌ ପାଚେରି ନିର୍ମାଣ ସହ ଆବଶ୍ୟକ ସମସ୍ତ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ ବୋଲି କହିଥିଲେ । ଡିସିପି ଅନୁପ ସାହୁ ଉପସ୍ଥିତ ରହି ଏହିସବୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ସୂଚନା ଦେଇଥିଲେ । ଏଥିସହିତ ଆଇଟି କମ୍ପାନୀମାନଙ୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇ ମାର୍ଗଦର୍ଶିକା ପାଳନ କରିଥିବା କମ୍ପାନୀଗୁଡ଼ିକୁ ଖୁବ୍‌ଶୀଘ୍ର ଅଗ୍ନି ନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।