Sachin Tendulkar
ନୂଆଦିଲ୍ଲୀ, ୨୭।୯ (ପି.ଟି.)- ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିଶ୍ୱ କ୍ରିକେଟ୍ର ସବୁଠାରୁ ମହାନ୍ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ମଧ୍ୟକ୍ରମରୁ ଜଣେ ଦକ୍ଷ ଓପନର୍ ଭାବେ ସଚିନ ନିଜକୁ ଗଢ଼ି ବେଶ୍ ଖ୍ୟାତି ଅର୍ଜନ କରିପାରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିବା ସହ ୪୯ ଶତକ ହାସଲ କରି ବିଶ୍ୱ ରେକର୍ଡକୁ ସଚିନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କିନ୍ତୁ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କୁ ଏକଦା ଇନିଂସ ଓପନ୍ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ପାଖରେ ବହୁତ ନିବେଦନ କରିବାକୁ ପଡ଼ିଥିଲା। ୨୫ ବର୍ଷ ତଳର ଏହି ଘଟଣାକୁ ସଚିନ ଏବେ ମନେପକାଇଛନ୍ତି।
ମିଡିଆରେ ସଚିନ ଏହି ପୁରୁଣା ଦିନର ସ୍ମୃତିକୁ ମନେପକାଇ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ୧୯୯୪ ମସିହାରେ ଅକ୍ଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ‘୧୯୯୪ରେ ଯେତେବେଳେ ଭାରତ ପାଇଁ ଇନିଂସ ଓପନ୍ କରିବା ଆରମ୍ଭ କରିଥିଲି ସେତେବେଳେ ସମସ୍ତ ଟିମ୍ ପ୍ରାରମ୍ଭରୁ ଉଇକେଟ୍ ବଞ୍ଚାଇ ରଖିବାକୁ ରଣନୀତି ପ୍ରସ୍ତୁତ କରି ଖେଳୁଥିଲେ। କିନ୍ତୁ ମୋ ଚିନ୍ତାଧାରା ଭିନ୍ନ ଥିଲା। ଆଗରେ ବ୍ୟାଟିଂ କରିବାକୁ ଯାଇ ପ୍ରାରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଆଟାକ୍ କରି ଖେଳିବାକୁ ମୁଁ ଚାହୁଁଥିଲି। ଏଥିଲାଗି ମୋତେ ଏକ ସୁଯୋଗ ଦେବା ପାଇଁ ବହୁ ନିବେଦନ କରିବାକୁ ପଡ଼ିଥିଲା। ଯଦି ମୁଁ ବିଫଳ ହେବି ତାହାଲେ ଆଉ ଆସିବିନି’ ବୋଲି ସଚିନ ଏହି ଭିଡିଓରେ କହିଛନ୍ତି। ଏହାକୁ ଏକ ଉଦାହରଣ ଭାବେ ନେଇ ବିଫଳତାକୁ ଭୟ ନ କରି ଜୀବନରେ ରିସ୍କ ଉଠାଇବାକୁ ସଚିନ ନିଜ ପ୍ରଶଂସକଙ୍କୁ କହିଛନ୍ତି।
ମ୍ୟାଚ୍ (ନ୍ୟୁଜିଲାଣ୍ଡ ବିପକ୍ଷ)ରେ ମୁଁ ୨୯ ବଲରୁ ୮୨ ରନ୍ ସଂଗ୍ରହ କରିଥିଲି। ତେଣୁ ମୋତେ ଆଉଥରେ ସୁଯୋଗ ଦିଆଯାଉ ବୋଲି କଦାପି କହିବାକୁ ପଡ଼ିଲା ନାହିଁ। ମୁଁ ଓପନ୍ କରେ ବୋଲି ସେମାନେ ଉତ୍ସାହିତ ଥିଲେ। ବିଫଳତାକୁ କେହି ନ ଡରନ୍ତୁ’ ବୋଲି ସଚିନ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଇନିଂସ ଓପନିଂ କରିବାର ପ୍ରଥମ ୫ ଦିନିକିଆ ମ୍ୟାଚ୍ରେ ସଚିନ ଯଥାକ୍ରମେ ୮୨, ୬୩, ୪୦, ୬୩ ଓ ୭୩ ରନ ସଂଗ୍ରହ କରିଥିଲେ। ମୋଟ୍ ଉପରେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୪୬୩ ଦିନିକିଆ ମ୍ୟାଚ୍ରୁ ୪୯ ଶତକ ସହାୟତାରେ ୧୮,୪୨୬ ରନ୍ କରିଥିଲେ।