A SpaceX Falcon 9 rocket and Crew Dragon spacecraft carrying NASA astronauts Douglas Hurley and Robert Behnken lifts off during NASA's SpaceX Demo-2 mission to the International Space Station from NASA's Kennedy Space Center in Cape Canaveral, Florida, U.S., May 30, 2020. REUTERS/Joe Skipper - RC2DZG96N2DL
ଓ୍ବାଶିଂଟନ,୩୧ା୫-ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍ଏକ୍ସ କମ୍ପାନୀର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚାଇଛି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ କକ୍ଷପଥକୁ ମାନବ ପ୍ରେରଣ ଏହା ପ୍ରଥମ ଘଟଣା।
ନାସାର କେନେଡି ମହାକାଶ କେନ୍ଦ୍ରର ଲଞ୍ଚ୍ କମ୍ପ୍ଲେକ୍ସ ୩୯ଏରୁ ସ୍ପେସ୍ଏକ୍ସର ଫାଲକନ୍ ୯ ରକେଟ ଶନିବାର ରାତିରେ ପଠାଯାଇଥିଲା। ଏଥିରେ ନାସାର ମହାକାଶଚାରୀ ବବ୍ ବେନ୍କେନ(୪୯) ଏବଂ ଡୁଗ୍ ହର୍ଲି (୫୩)ଙ୍କୁ ମହାକାଶକୁ ପଠାଯାଇଛି। ମହାକାଶକୁ ମାନବ ପଠାଇବାରେ ସ୍ପେସ୍ଏକ୍ସ ପ୍ରଥମ ଘରୋଇ କମ୍ପାନୀ। ପୂର୍ବରୁ ଏହି ସଫଳତା ତିନୋଟି ଦେଶ ଆମେରିକା, ରୁଷିଆ ଏବଂ ଚାଇନା ସରକାରଙ୍କୁ ମିଳିଥିଲା। କ୍ରିଉ ଡ୍ରାଗନ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନରେ ପହଞ୍ଚତ୍ବାକୁ ୧୯ ଘଣ୍ଟା ଲାଗିଥିଲା।
ଗତ ସପ୍ତାହରେ ଖରାପ ପାଗ ଯୋଗୁ ଏହି ଲଞ୍ଚ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। କରୋନା ମହାମାରୀରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୪୦ ନିୟୁତ ଲୋକ ନିଯୁକ୍ତି ହରାଇବା ସହ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଇଛି। ଏଭଳି ଏକ ବିପତ୍ତି ସମୟରେ ସ୍ପେସ୍ଏକ୍ସର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଛି। ମହାକାଶ ଯାନ ପ୍ରେରଣର ସିଧାପ୍ରସାରଣ ଦେଖିବା ପାଇଁ ରବିବାର ଅପରାହ୍ନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍ଙ୍କ ସମେତ ହଜାର ହଜାର ଆମେରିକୀୟ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ପେସ୍ଏକ୍ସ କମ୍ପାନୀର ମୁଖ୍ୟ ଏଲୋନ ମୁସ୍କ, ନାସା ଓ ମହାକାଶଚାରୀଙ୍କୁ ଟ୍ରମ୍ପ୍ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ପାଇଁ ଏହା ଏକ ବଡ଼ ଦିନ ବୋଲି ସେ କହିଛନ୍ତି। ଟ୍ରମ୍ପ୍ ନାସାର ଦୁଇ ମହାକାଶଚାରୀ ଏବଂ ମୁସ୍କଙ୍କ ସହ କଥା ହୋଇଥିଲେ। ୨୦୧୧ ପରେ ମହାକାଶକୁ ଆମେରିକା ମାଟିରୁ ମହାକାଶଚାରୀ ପ୍ରେରଣ ଦୃଶ୍ୟ ଦେଖିବାର ଐତିହାସିକ ସୁଯୋଗ ମିଳିଲା ବୋଲି ପରରାଷ୍ଟ୍ର ସଚିବ ମାଇକ୍ ପମ୍ପେଓ କହିଛନ୍ତି। ସେହିପରି ନାସା ପ୍ରଶାସକ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି, ମହାକାଶକୁ ମାନବ ପ୍ରେରଣର ଏକ ନୂଆ ଯୁଗ ଆରମ୍ଭ ହେଲା। ଆଗାମୀ ଦିନରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।