ଇଣ୍ଡିଆ ବଦଳରେ ଭାରତ

ନୂଆଦିଲ୍ଲୀ,୩୦ା୫(ପି.ଟି.): ସମ୍ବିଧାନ ସଂଶୋଧନ କରି ଦେଶର ନଁ। ଇଣ୍ଡିଆ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ଥାନ’ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଜୁନ୍‌ ୨ରେ ଏହାର ଶୁଣାଣି କରିବାକୁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧ରେ ସଂଶୋଧନ ଆଣିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଆବେଦନ କରାଯାଇଛି। ଦେଶର ନାମ ବଦଳିବା ଦ୍ୱାରା ଆମ ନିଜ ଜାତୀୟତାବାଦ ଉପରେ ଗର୍ବ ଅନୁଭବ ହେବ ବୋଲି ପିଟିଶନରେ ଦାବି କରାଯାଇଛି। ଶୁକ୍ରବାର ପିଟିଶନର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ରହି ନ ପାରିବାରୁ ୨ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଦିଲ୍ଲୀର ଆବେଦନକାରୀଙ୍କ କହିବା ଅନୁଯାୟୀ ଦେଶର ନାଗରିକମାନଙ୍କୁ ଉପନିବେଶବାଦର ଅତୀତକୁ ଭୁଲିବାକୁ ହେଲେ ଏଭଳି ସଂଶୋଧନର ଆବଶ୍ୟକତା ରହିଛି। ଇଂଲିଶ ନାମକୁ ବଦଳାଗଲେ ଭବିଷ୍ୟତ ବଂଶଧରଙ୍କ ମଧ୍ୟରେ ଆମର ଜାତୀୟତାବାଦ ପ୍ରତି ଗର୍ବ ଆସିବ। ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର ହେଲେ ଏହା ଦେଶର ସ୍ବାଧୀନତା ପାଇଁ ଆମ ପୂର୍ବପୁରୁଷମାନଙ୍କ ଦୀର୍ଘଦିନର ସଂଗ୍ରାମକୁ ଯଥାର୍ଥ ପ୍ରତିପାଦନ କରିବ ବୋଲି ପିଟିଶନରେ କୁହାଯାଇଛି। ୧୯୪୮ ସମ୍ବିଧାନ ସଭା ଆଲୋଚନାରେ ଚିଠା ସମ୍ବିଧାନର ଅନୁଚ୍ଛେଦ ୧ ଉପରେ ବିତର୍କ ହୋଇଥିଲା। ସେତେବେଳେ ଦେଶର ନାଁ ଭାରତ କିମ୍ବା ହିନ୍ଦୁସ୍ଥାନ ରଖିବା ସପକ୍ଷରେ ଜୋର୍‌ଦାର ଦାବି ଉଠିଥିଲା। ଏବେ ଦେଶକୁ ମୂଳ ନାଁରେ ପରିଚିତ କରାଇବାର ସମୟ ଆସିଛି ବୋଲି ପିଟିଶନରେ କୁହାଯାଇଛି।