Sunil Chhetri of Bengaluru FC takes the penalty during match 27 of the 7th season of the Hero Indian Super League between Bengaluru FC and Kerala Blasters FC held at the Fatorda Stadium, Goa, India on the 13th December 2020 Photo by Deepak Malik / Sportzpics for ISL
ମାରଗାଓ,୧୩।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ସବୁ ଦୃଷ୍ଟିକୋଣରୁ ବେଙ୍ଗାଲୁରୁ ଅପେକ୍ଷାକୃତ ଭଲ ଖେଳିଥିଲା। ଏଥି ସହ ୫ଟି ମ୍ୟାଚ୍ ଖେଳି ବେଙ୍ଗାଲୁରୁ ୨ ବିଜୟ, ୩ ଡ୍ର ସହ ୯ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ କେରଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨ ଡ୍ର ଓ ୩ ପରାଜୟ ସହ ୨ ପଏଣ୍ଟ ପାଇ ନବମ ସ୍ଥାନରେ ରହିଛି।
ମ୍ୟାଚର ୧୭ତମ ମିନିଟ୍ରେ ରାହୁଲ କାନୋଲି ପ୍ରବୀଣ ପ୍ରଥମ ଗୋଲ ଦେଇ କେରଳକୁ ଅଗ୍ରଣୀ କରାଇଥିଲେ। ତେବେ ବେଙ୍ଗାଲୁରୁର ବ୍ରାଜିଲ ଓ୍ବିଙ୍ଗର କ୍ଲେଇଟନ ସିଲ୍ଭା ୨୯ତମ ମିନିଟ୍ରେ ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ମ୍ୟାଚ ୧-୧ ସମାନସ୍ତରରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ୫୧ତମ ମିନିଟ୍ରେ ନର୍ଓ୍ବେ ଷ୍ଟ୍ରାଇକର କ୍ରିଷ୍ଟିଆନ ଓପ୍ସେଥ୍ ଗୋଲ ଦେଇ ବେଙ୍ଗାଲୁରୁକୁ ଅଗ୍ରଣୀ କରାଇଥିଲେ। ଏହାର ଠିକ ୨ ମିନିଟ୍ ପରେ ସ୍ପାନିଶ ମିଡ୍ଫିଲ୍ଡର ଡିମାସ ଡେଲଗାଡୋ ଗୋଲ ଦେଇ ବେଙ୍ଗାଲୁରୁକୁ ୩-୧ରେ ଅଗ୍ରଣୀ କରାଇଥିଲେ। ତେବେ କେରଳ ତରଫରୁ ସ୍ପାନିଶ ମିଡ୍ଫିଲ୍ଡର ଭିନ୍ସେଣ୍ଟ ଗୋମେଜ ୬୧ତମ ମିନିଟ୍ରେ ଗୋଲ ଦେଇଥିଲେ। ଫଳରେ ମ୍ୟାଚ ୩-୨ ସ୍ତରରେ ପହଞ୍ଚିଥିଲା। ତେବେ ଏହାର ଠିକ୍ ୪ ମିନିଟ୍ ପରେ ଅର୍ଥାତ୍ ୬୫ତମ ମିନିଟ୍ରେ ବେଙ୍ଗାଲୁରୁ ଅଧିନାୟକ ସୁନୀଲ ଛେତ୍ରୀ ଏକ ସୁନ୍ଦର ଗୋଲ ଦେଇ ଗୋଲ ବ୍ୟବଧାନରେ ବୃଦ୍ଧି ଆଣିଥିଲେ। ତେବେ ଏହା ପୂର୍ବରୁ ଛେତ୍ରୀ ଏକ ପେନାଲ୍ଟି ମିସ୍ କରିଥିଲେ। ଇଞ୍ଜୁରି ଟାଇମ୍ ବାବଦରେ ୫ ମିନିଟ୍ ଖେଳ ହୋଇଥିଲେ ମଧ୍ୟ ଆଉ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ବେଙ୍ଗାଲୁରୁ ୪-୨ରେ ବିଜୟୀ ହୋଇଥିଲା।