Sergio Castel of Jamshedpur FC and Shubham Sarangi of Odisha FC during match 3 of the Indian Super League ( ISL ) between Jamshedpur FC and Odisha FC held at the JRD Tata Sports Complex, Jamshedpur, India on the 22nd October 2019. Photo by: Arjun Singh / SPORTZPICS for ISL
ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ)ରେ ଓଡ଼ିଶା ଏଫ୍ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ଜାମସେଦପୁର ଏଫସି ଠାରୁ ପରାସ୍ତ ହୋଇଛି। ଜେଆରଡି ସ୍ପୋଟର୍ସ କମ୍ପ୍ଲେକ୍ସ ଠାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଜାମେସଦପୁର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଘରୋଇ ଦଳ ପୂରା ତିନି ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ଜଣେ ଖେଳାଳିଙ୍କୁ ନାଲି କାର୍ଡ ପ୍ରଦର୍ଶନ ପରେ ଏକ ଘଣ୍ଟାରୁ ଅଧିକ ସମୟ ୧୦ ଜଣିଆ ଦଳ ନେଇ ଖେଳିଥିବା ଘରୋଇ ଜାମସେଦପୁର ଦଳ ଲଢୁଆ ଖେଳ ଜାରି ରଖି ସର୍ଜିଓ କାଷ୍ଟେଲଙ୍କ ଗୋଲ ବଳରେ ଏହି ବିଜୟ ହାସଲ କରିଛି। ଜାମସେଦପୁର ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଓଡିଶା ଏଫସି ଉପରେ ଚାପ ପକାଇଥିଲା। ସପ୍ତମ ମିନିଟରେ ଘରୋଇ ଦଳକୁ ଗୋଲ ଦେବାର ପ୍ରଥମ ସୁଯୋଗ ମିଳିଥିଲା I କିନ୍ତୁ ଫାରୁକ ଚୌଧରୀ ମାରିଥିବା ଶଟ୍ ଓଡିଶା ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ଖେଳରେ କିଛିଟା ନିୟନ୍ତ୍ରଣ ପାଇବା ପରେ ଓଡିଶା ଦଳ ମଧ୍ୟ ପ୍ରତି ଆକ୍ରମଣ କରିଥିଲା I ଚତୁର୍ଦ୍ଦଶ ମିନିଟରେ ଜେରୀ ମହମିଙ୍ଗଥାଙ୍ଗା ଗୋଲ ଦେବାର ସୁଯୋଗ ହାତଛଡା କରିଥିଲେ I ତେବେ ୧୭ତମ ମିନିଟ୍ରେ ଫାରୁକ ଚୌଧୁରୀ ଏକ ସୁନ୍ଦର ଗୋଲ ଦେଇ ଜାମସେଦପୁର କୁ ୧-୦ରେ ଅଗ୍ରଣୀ କରିଥିଲେ।
ଓଡିଶା ଦଳ ଏହାପରେ ଗୋଲ ପରିଶୋଧ କରିବାକୁ ଜୋରଦାର ଉଦ୍ୟମ କରିଥିଲା I ଅନ୍ୟପକ୍ଷରେ ଫାଉଲ ପାଇଁ ଜାମସେଦପୁରର ବିକାଶ ଜାଇରୁ ୩୫ତମ ମିନିଟରେ ନାଲି କାର୍ଡ ପାଇ ପଡ଼ିଆରୁ ବାହାରିଯିବାରୁ ଦଳ ଏହାପରେ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା I ଏହାର ପାଞ୍ଚ ମିନିଟ ପରେ ଓଡିଶା ଏଫସିର ଆରିଡେନ ସାଣ୍ଟାନା ଗୋଟିଏ ଚମତ୍କାର ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ନେଇ ଆସିଥିଲେ I
ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ଶେଷ ହେବାପରେ ଉଭୟ ଦଳ ଦ୍ୱିତୀୟାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାର ଲାଗି ପ୍ରୟାସ କରିଥିଲେ I ୬୮ତମ ମିନିଟରେ ଓଡିଶା ଦଳର ବଦଳ ଖେଳାଳି ବିକ୍ରମଜିତ ସିଂଙ୍କ ଜୋର୍ଦାର ଶଟ୍କୁ ପ୍ରତିପକ୍ଷ ଗୋଲରକ୍ଷକ ସୁବ୍ରତ ପଲ ଅଟକାଇବାରେ ସମର୍ଥ ହୋଇଥିଲେ। ଦଶ ଜଣ ଖେଳାଳିଙ୍କୁ ନେଇ ଲଢେଇ କରିବା ସତ୍ତ୍ୱେ ଘରୋଇ ଦଳ ମ୍ୟାଚ ଜିତିବାର ଆଶା ହରାଇ ନ ଥିଲା I ଖେଳର ୮୫ତମ ମିନିଟରେ ପିଟିଙ୍କ ଠାରୁ ପାସ୍ ପାଇ ସର୍ଜିଓ କାଷ୍ଟେଲ ଏକ ଦର୍ଶନୀୟ ଗୋଲ ଦେବା ସହ ଜାମସେଦପୁର ଏଫସିକୁ ୨-୧ ଗୋଲରେ ବିଜୟୀ କରିଥିଲେ I ଏହି ନିର୍ଣ୍ଣାୟକ ଗୋଲ ଦେଇ କାଷ୍ଟେଲ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ଫାରୁକ ଚୌଧରୀଙ୍କୁ ହିରୋ ମ୍ୟାନ ଅଫ ଦି ପୁରସ୍କାର ପ୍ରଦାନ କରାଯାଇଥିଲା I