Memo Moura of Jamshedpur FC,Francisco Medina Luna (Piti) of Jamshedpur FC and Robin Gurung of Jamshedpur FC with mates during match 41 of the Indian Super League ( ISL ) between Jamshedpur FC and Mumbai City FC held at the JRD Tata Sports Complex, Jamshedpur, India on the 19th December 2019. Photo by: Arjun Singh / SPORTZPICS for ISL
ଭୁବନେଶ୍ୱର,୨୭।୧୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ଓ ଜାମ୍ସେଦପୁର ଏଫସି ମୁହଁାମୁହିଁ ହେବେ। ଚଳିତ ସେସନରେ ଘରୋଇ ସହରରେ ଓଡ଼ିଶା ଏଫ୍ସି ତା’ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି। ପୂର୍ବରୁ ପୁଣେରେ ଓଡ଼ିଶା ତା’ର ଘରୋଇ ମ୍ୟାଚ୍ ଖେଳୁଥିଲା। ବିଜୟ ନେଇ ଉଭୟ ଦଳ ବେଶ୍ ଆଶାବାଦୀ ଅଛନ୍ତି। ମ୍ୟାଚ୍ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍ସି ହେଡ କୋଚ ଜୋସେଫ୍ ଗୋମ୍ବାଉ ଦଳର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଲିଗ୍ରେ ଏପର୍ଯ୍ୟନ୍ତ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲେ ମଧ୍ୟ ଏହି ମ୍ୟାଚ୍ ଦଳ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍ ଖେଳି ୨ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ମୋଟ ୯ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ଶ୍ରେଷ୍ଠ ୪ରେ ସ୍ଥାନ ପାଇବାକୁ ହେଲେ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡିବ ବୋଲି ଗୋମ୍ବାଉ ହୃଦୟଙ୍ଗମ କରିଛନ୍ତି। ମ୍ୟାଚ୍ ପାଇଁ ସ୍ବତନ୍ତ୍ର ରଣନୀତି ଅଭିଜ୍ଞ ଖେଳାଳିଙ୍କ ସହିତ ଦଳରେ ଯୁବ ଖେଳାଳିଙ୍କର ମଧ୍ୟ ସମାନ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଗତ ୩ଟି ମ୍ୟାଚ୍ରେ ଓଡ଼ିଶା ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଗୋଆଠାରୁ ପରାସ୍ତ ହୋଇ ହ୍ୟାଟ୍ରିକ ପରାଜୟ ବରଣ କରିଛି। ଗତ ମ୍ୟାଚ୍ରେ ଓଡ଼ିଶା ୩-୦ ଗୋଲରେ ଏଫ୍ସି ଗୋଆଠାରୁ ପରାସ୍ତ ହୋଇଥିଲା। ତେଣୁ ବିଜୟଧାରାକୁ ଫେରିବା ପାଇଁ ଆମେ ସବୁମତେ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଡିଫେନ୍ସରେ ଥିବା ଦୁର୍ବଳାତକୁ ସେ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତିମ ମୁହୂର୍ତ୍ତରେ ଗୋଲ ବରଣ କରୁଥିବାରୁ ଆମେ ଏହାକୁ ରୋକିବା ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ୧୯ ବର୍ଷୀୟ ରାଇଟ୍ ବ୍ୟାକ୍ ଶୁଭମ ଷଡଙ୍ଗୀ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ବୋଲି ସେ କହିଛନ୍ତି। ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ବୋଲି ସେ କହିଛନ୍ତି। ଭଲ ପାସ୍ ଦେବା ସହିତ ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ମ୍ୟାଚ୍ରେ ଜିତିଲେ ଖେଳାଳିଙ୍କ ଆତ୍ମବିଶ୍ୱାସ ଫେରିପାଇବ। ଭାରତରେ ବହୁ ପ୍ରତିଭାସନ୍ନ ଫୁଟବଲର ରହିଛନ୍ତି। ଆଗାମୀ ୧୦ ବର୍ଷରେ ଭାରତୀୟ ଫୁଟବଲ ଦୃଢ଼ ହେବେ। ଘରୋଇ ଦର୍ଶକଙ୍କ ସମର୍ଥନ ଦଳକୁ ଉତ୍ସାହିତ କରିବ। ଘରୋଇ ଗ୍ରାଉଣ୍ଡରେ ଆମେ ଏବେ କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଉଛୁ ଓ ଏ ନେଇ ଆମେ ଉତ୍ସାହିତ ଅଛୁ। ଏହି ମ୍ୟାଚ୍ରେ ବିଜୟୀ ହେଲେ ଜାମସେଦପୁରଠାରୁ ଆମେ ମାତ୍ର ଗୋଟିଏ ପଏଣ୍ଟ ଦୂରରେ ରହିବୁ ବୋଲି ଗୋମ୍ବାଉ କହିଛନ୍ତି। ଖବରଦାତା ସମ୍ମିଳନୀରେ ଡିଫେଣ୍ଡର ଗୌରବ ବୋରା ଓ ଫରଓ୍ବାର୍ଡ ଡାନିଏଲ ଲାଲଲିମ୍ପୁଇଆ ଉପସ୍ଥିତ ରହି ଓଡ଼ିଶାର ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ କୋଚ୍ଙ୍କ ରଣନୀତିକୁ କାର୍ଯ୍ୟକାରୀ କରିବା ଆମର ମୂଳ ଲକ୍ଷ୍ୟ ବୋଲି ବୋରା କହିଛନ୍ତି। ସେହିପରି ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଆଶା କରୁଛୁ ଓ ଯୋଜନା ଅନୁଯାୟୀ ଖେଳି ବିଜୟୀ ହେବୁ ବୋଲି ଡାନିଏଲ କହିଛନ୍ତି।