Xisco Hernandez of Odisha FC and Jose Leudo of Northeast United FC in action during match 7 of the Indian Super League ( ISL ) between NorthEast United FC vs Odisha FC held at the Indira Gandhi Athletic Stadium, Guwahati, India on the 26th October 2019. Photo by: Deepak Malik / SPORTZPICS for ISL
ଗୁଆହାଟୀ, ୨୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ଏଫ୍ସି ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ଜାମସେଦପୁର ଏଫ୍ସିଠାରୁ ୨-୧ ଗୋଲରେ ହାତଛଡ଼ା କରିବା ପରେ ଶନିବାର ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ଅନୁରୂପ ଭାବେ ପରାସ୍ତ ହୋଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଘରୋଇ ଦଳ ନର୍ଥଇଷ୍ଟ ୟୁନାଇଟେଡ ଏଫ୍ସି ୨-୧ ଗୋଲରେ ଓଡ଼ିଶାକୁ ହରାଇଛି। ତାରକା ଷ୍ଟ୍ରାଇକର ଆସାମୋଆ ଜିଆନଙ୍କ ନିର୍ଣ୍ଣାୟକ ଗୋଲ ବଳରେ ନର୍ଥଇଷ୍ଟ ଲିଗ୍ରେ ତା’ର ପ୍ରଥମ ବିଜୟ ହାସଲ କରିଛି।
ରିଡିମ ଟିଲାଙ୍ଗ୍ ଦ୍ୱିତୀୟ ମିନିଟ୍ରେ ମାର୍ଟିନ ଚାଭେଜ ଓ ପାନାଜିଓଟିସ୍ଙ୍କଠାରୁ ସହାୟତା ପାଇ ଗୋଲ ଦେଇଥିଲେ ଓ ନର୍ଥଇଷ୍ଟକୁ ୧-୦ରେ ଅଗ୍ରଣୀ କରାଇଥିଲେ। ସପ୍ତମ ମିନିଟ୍ରେ ନାରାୟଣ ଦାସ ଓ ଶୁଭମ ଷଡଙ୍ଗୀ ଓଡ଼ିଶା ପାଇଁ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ମାର୍ଟିନେଜ ଜିଉଡେସ ମାରିଥିବା ଫ୍ରି କିକ୍କୁ ନର୍ଥଇଷ୍ଟ ଗୋଲକିପର ସୁଭାଶିଷ ରାୟ ପଣ୍ଡ କରିଥିଲେ। ଏହାର ୬ ମିନିଟ ପରେ ସୁଭାଶିଷ ଜେରୀ ମାଅମିଙ୍ଗଥାଙ୍ଗାଙ୍କ ପ୍ରୟାସକୁ ଅଟକାଇବାରେ ସମର୍ଥ ହୋଇଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ହୋଇଥିଲା। ତେବେ ଗୋଲକିପରମାନେ ଉନ୍ନତ ପ୍ରଦର୍ଶନ କରି ଗୋଲ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍ର ୭୧ତମ ମିନିଟ୍ରେ ସିସ୍କୋ ହେର୍ନାଣ୍ଡେଜ୍ ଓଡ଼ିଶା ତରଫରୁ ଗୋଲ ଦେଇଥିଲେ ଓ ମ୍ୟାଚ୍କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ଏହାର ଠିକ ଦୁଇ ମିନିଟ୍ ପରେ ରେଫରି ଡେଲଗାଡୋଙ୍କୁ ନାଲି କାର୍ଡ ଦେଖାଇଥିଲେ। ଫଳରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ଫଳରେ ଓଡ଼ିଶାକୁ ଧକ୍କା ଲାଗିଥିଲା ଓ ଦଳ ୧୦ଜଣଙ୍କୁ ନେଇ ଖେଳ ଜାରି ରଖିଥିଲା। ଏହାର ସୁଯୋଗ ନେଇ ନର୍ଥଇଷ୍ଟ ତରଫରୁ ୮୪ତମ ମିନିଟ୍ରେ ଆସାମୋଆ ଜିଆନ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ନିର୍ଣ୍ଣାୟକ ଗୋଲ ପାଇଁ ଜିଆନ ହିରୋ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାସଲ କରିଥିଲେ। ସେହିପରି ମ୍ୟାଚ୍ର ଉଦୀୟମାନ ଖେଳାଳି ହିସାବରେ ନର୍ଥଇଷ୍ଟର ରିଡିମ ଟିଲାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା।