Francisco Dorronsoro goalkeeper of Odisha FC collects the ball during match 18 of the Indian Super League ( ISL ) between the Kerala Blasters FC and Odisha FC held at the Jawaharlal Nehru Stadium, Kochi, India on the 8th November 2019. Photo by: Vipin Pawar / SPORTZPICS for ISL
କୋଚି,୯।୧୧(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ଏଫସି ଓ ଘରୋଇ କେରଳ ବ୍ଲାଷ୍ଟର୍ସ ଏଫ୍ସି ମୁହଁାମୁହିଁ ହୋଇଥିବା ବେଳେ ଏହି ମ୍ୟାଚ୍ ଗୋଲ୍ଶୂନ୍ୟଭାବେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ କେରଳ ଘରୋଇ ପରିବେଶରୁ ଫାଇଦା ଉଠାଇପାରି ନ ଥିଲା। କ୍ରମାଗତ ତୃତୀୟ ମ୍ୟାଚ୍ରେ କେରଳ ବିଜୟୀ ହେବାରେ ସଫଳ ହୋଇପାରିନାହିଁ। ଉଭୟ ଦଳ ଇଞ୍ଜୁରି ସମସ୍ୟାରେ ପଡିଥିଲେ ଓ ଏହାର ପ୍ରଭାବ ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା। ଜାଇରୋ ରୋଡ୍ରିଗୁଏଜ, ରାଫାଏଲ ମେସି ବେଉଲି ଓ ଆଡ୍ରିଆନ ସାଣ୍ଟାନା ଆହତ ହେବା କାରଣରୁ ପ୍ରଥମାର୍ଦ୍ଧରେ ଏମାନଙ୍କ ବଦଳ ଖେଳାଳି ପଡିଆକୁ ଆସିଥିଲେ। ଏହି ପରିବର୍ତ୍ତନ ମ୍ୟାଚକୁ ପ୍ରଭାବିତ କରିଥିଲା। ଫଳରେ ମ୍ୟାଚ୍ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏଥିସହିତ ଉଭୟ ଦଳ ୪ଟି ଲେଖାଏ ମ୍ୟାଚ୍ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୪ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଗୋଲ ବ୍ୟବଧାନରେ ଓଡ଼ିଶା ଆଗରେ ରହି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ବେଳେ କେରଳ ଷଷ୍ଠ ସ୍ଥାନରେ ରହିଛି। ଅବଶ୍ୟ ମ୍ୟାଚ୍ରେ ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ। ତେବେ ଗୋଲ ସମ୍ଭବ ହୋଇପାରି ନ ଥିଲା। ୨୩ ତାରିଖ ଶନିବାର ଦିନ କେରଳ ତା’ର ପରବର୍ତ୍ତୀ ମ୍ୟାଚ୍ରେ ଘରୋଇ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ। ସେହିପରି ଓଡ଼ିଶା ତା’ର ଆଗାମୀ ମୁକାବିଲାରେ ଆସନ୍ତା ୨୪ ତାରିଖ ରବିବାର ଦିନ କୋଲକାତାକୁ ଭେଟିବ।