ATK players celebrates with the trophy after winning the finals of the Indian Super League ( ISL ) between ATK FC and Chennaiyin FC held at the Jawaharlal Nehru Stadium, Goa, India on the 14th March 2020. Photo by: Vipin Pawar / SPORTZPICS for ISL
ମାରଗାଓ, ୧୨।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଏଥର ଏଟିକେ ଏଫ୍ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଦେଶର ଏହି ସର୍ବବୃହତ ଫୁଟବଲ୍ ଲିଗ୍ର ଷଷ୍ଠ ସଂସ୍କରଣରେ ଏଟିକେ ପ୍ରତିପକ୍ଷ ଚେନ୍ନାଇନ ଏଫ୍ସିକୁ ପରାସ୍ତ କରି ବାଜି ମାରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ ବା ଫଟୋର୍ଡା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଏଟିକେ ୩-୧ ଗୋଲରେ ଚେନ୍ନାଇନକୁ ହରାଇ ତୃତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଟିକେ ଓ ଚେନ୍ନାଇ ପୂର୍ବରୁ ୨ଥର ଲେଖାଏ ଟାଇଟଲ ଜିତିଛନ୍ତି। ଏଥର ବିଜୟୀ ହୋଇ ଏଟିକେ ସର୍ବାଧିକ ୩ଥର ଟାଇଟଲ ହାସଲ କରି ଅନ୍ୟ ସବୁ କ୍ଲବଗୁଡିକୁ ପଛରେ ପକାଇଛି। ପୂର୍ବରୁ ଏଟିକେ ୨୦୧୪ ପ୍ରଥମ ସଂସ୍କରଣରେ ଓ ୨୦୧୬ରେ ଟାଇଟଲ ହାସଲ କରିଥିଲା। ସେହିପରି ଚେନ୍ନାଇନ୍ ୨୦୧୫ ଓ ୨୦୧୭-୧୮ ସେସନରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏଟିକେ ଏଏଫ୍ସି କପ୍ରେ ସ୍ଥାନ ହାସଲ କରିବା ସହ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଛି। ଫଳରେ କୋଲକାତା ସହର ପର୍ଯ୍ୟବସିତ ଏହି କ୍ଳବ୍ର ଖୁସି ଦୁଇଗୁଣା ହୋଇଛି।
କରୋନା ଭାଇରସ ଆତଙ୍କ କାରଣରୁ ଏହି ମ୍ୟାଚ୍ ରୁଦ୍ଧଦ୍ୱାରରେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଏଟିକେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଟିକେ ତରଫରୁ ସ୍ପାନିସ୍ ଫୁଟବଲର ଜାଭି ହେର୍ନାଣ୍ଡିଜ୍ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଟାକିଂ ମିଡ୍ଫିଲ୍ଡର ଭାବେ ଖେଳୁଥିବା ଜାଭି ଦଶମ ମିନିଟ୍ରେ ରଏ କ୍ରିଷ୍ଣାଙ୍କଠାରୁ ପାସ୍ ପାଇଥିଲେ ଓ ଏହାର ସଦ୍ବ୍ୟବହାର କରି ପ୍ରଥମ ଗୋଲ ଦେଇ ଏଟିକେକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଏଟିକେ ଅଗ୍ରଣୀ ବଜାୟ ରଖିଥିଲା। ଏହାପରେ ୪୮ତମ ମିନିଟ୍ରେ ଅନ୍ୟତମ ସ୍ପାନିସ୍ ଆଟାକିଂ ମିଡଫିଲ୍ଡର ଏଡୁ ଗାର୍ସିଆ ଓ୍ବିଲିୟମ୍ସଙ୍କଠାରୁ ପାସ ପାଇ ସିଧା ଶଟ୍ ଖେଳିଥିଲେ। ତେବେ ଏହା ବାର ବାଜି ପୋଷ୍ଟକୁ ଯାଇଥିଲା। ଏହି ଗୋଲ ସହ ଏଟିକେ ୨-୦ରେ ଅଗ୍ରଣୀ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ୍ ତରଫରୁ ଲିଥୁଆନିଆ ନେରିଜୁସ ଭାଲସ୍କିଜ୍ ରାଇଟ୍ କିକ୍ ମାରି ସଫଳ ହେବା ସହ ୬୯ତମ ମିନିଟ୍ରେ ଗୋଲ ଦେଇଥିଲେ। ଏଥିସହିତ ଚେନ୍ନାଇ ମ୍ୟାଚକୁ ଫେରିଥିଲା। ଏହା ପରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ଜାଭି ଅନ୍ତିମ ମୁହୂର୍ତ୍ତରେ ଇଞ୍ଜୁରି ଟାଇମ୍ର ତୃତୀୟ ମିନିଟ୍ରେ ଫ୍ରି ଶଟ୍ ମାରି ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।
ପ୍ଲେ- ଅଫ୍ରେ ଉଭୟ ଦଳ ଉନ୍ନତ ପ୍ରଦର୍ଶନ କରିଥିଲେ। ଦୁଇ ଲେଗ ବିଶିଷ୍ଟ ସେମିଫାଇନାଲରେ ଚେନ୍ନାଇନ୍ ଲିଗ୍ ଏଫ୍ସି ଗୋଆକୁ ଏଗ୍ରିଗେଟ୍ରେ ୬-୫ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଏଟିକେ ଦୁଇ ଲେଗ୍ ବିଶିଷ୍ଟ ସେମିରେ ବେଙ୍ଗାଲୁରୁ ଏଫ୍ସିକୁ ଏଗ୍ରିଗେଟ୍ରେ ୩-୨ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ରୁଦ୍ଧଦ୍ୱାରରେ ତଥା ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିବାରୁ ମ୍ୟାଚ୍ ଅବଶ୍ୟ ସେତେଟା ରୋମାଞ୍ଚକ ହୋଇ ନ ଥିଲା।