Francisco Dorronsoro Goalkeeper of Odisha FC jumps to defend a goal during match 12 of the Indian Super League ( ISL ) between Mumbai City FC and Odisha FC held at the Mumbai Football Arena, Mumbai, India on the 31st October 2019. Photo by: Faheem Hussain / SPORTZPICS for ISL
ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି)-ଚଳିତ ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ରେ ଓଡ଼ିଶା ଏଫସି ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ମୁମ୍ବାଇ ଫୁଟବଲ ଏରେନାରେ ଅନୁଷ୍ଠିତ ଲିଗର ଦ୍ୱାଦଶ ମ୍ୟାଚରେ ଘରୋଇ ମୁମ୍ବାଇ ସିଟି ଏଫସିକୁ ୪-୨ ଗୋଲରେ ହରାଇ ନବାଗତ ଓଡ଼ିଶା ଏଫସି ଚମକ ସୃଷ୍ଟି କରିଛି। କ୍ରମାଗତ ଦୁଇଟି ପରାଜୟ ପରେ ଓଡିଶା ଏଫସିର ଏହା ପ୍ରଥମ ବିଜୟ l ଅନ୍ୟ ପକ୍ଷରେ କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ଚେନ୍ନାଇନ ଏଫସି ବିପକ୍ଷରେ କ୍ରମାଗତ ଦୁଇଟି ବାହାର ମ୍ୟାଚ ଖେଳି ସିଜନ ଆରମ୍ଭ କରିଥିବା ମୁମ୍ବାଇ ସିଟିର ଏହା ପ୍ରଥମ ପରାଜୟ। କୋଚିଠାରେ ସେମାନେ ପୁରା ତିନି ପଏଣ୍ଟ ପାଇଥିବା ବେଳେ ଚେନ୍ନାଇ ଠାରେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲେ l
ଗୁରୁବାର ମ୍ୟାଚରେ ଦୁଇଟି ଗୋଲ ଦେଇ ଓଡିଶା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆରିଡେନ ସାଣ୍ଟାନା l ଓଡିଶା ଏଫସି ସମ୍ପୁର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ମଧ୍ୟାନ୍ତର ସୁଦ୍ଧା ୩-୦ ଗୋଲରେ ଆଗୁଆ ରହିଥିଲା l ଦଳ ପକ୍ଷରୁ ପ୍ରଥମ ଗୋଲ ସିସ୍କୋ ହର୍ନାଣ୍ଡେଜ ଷଷ୍ଠ ମିନିଟରେ ସ୍କୋର କରିଥିଲେ l ଏହି ଗୋଲ ପାଇଁ ତାଙ୍କୁ ପାସ ଦେଇଥିଲେ ସାଣ୍ଟାନା l ଖେଳର ୨୧ତମ ମିନିଟରେ ସାଣ୍ଟାନା ତାଙ୍କର ପ୍ରଥମ ଗୋଲ ଦେଇ ଓଡିଶା ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ l ଦଳ ପକ୍ଷରୁ ତୃତୀୟ ଗୋଲ ୪୧ତମ ମିନିଟରେ ସ୍କୋର କରିଥିଲେ ଜେରୀ ମାଅମିଙ୍ଗଥାଙ୍ଗା l ପ୍ରଥମାର୍ଦ୍ଧରେ ସମ୍ପୁର୍ଣ୍ଣ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିବା ମୁମ୍ବାଇ ସିଟି ଦଳ ଦ୍ୱିତୀୟାର୍ଦ୍ଧରେ ମହମଦ ଲାର୍ବିଙ୍କ ଗୋଲ ବଳରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା l ୫୧ତମ ମିନିଟରେ ପେନାଲଟି କିକ ଯୋଗେ ଏହି ଗୋଲ ସ୍କୋର କରିଥିଲେ ଲାର୍ବି l ତେବେ ୭୩ତମ ମିନିଟରେ ସାଣ୍ଟାନାଙ୍କ ଦ୍ୱିତୀୟ ଗୋଲ ବଳରେ ଓଡିଶା ଏଫସି ଅଗ୍ରଣୀ ବ୍ୟବଧାନ ୪-୧କୁ ବୃଦ୍ଧି କରିଥିଲା l ମ୍ୟାଚର ଅନ୍ତିମ ମିନିଟରେ ମୁମ୍ବାଇ ସିଟି ପକ୍ଷରୁ ବିପିନ ସିଂ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନ ୨-୪କୁ ହ୍ରାସ କରିଥିଲେ। ଏହି ମ୍ୟାଚରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଓଡିଶା ଏଫସିର ଡିଫେଣ୍ଡର ଶୁଭମ ଷଢଙ୍ଗିଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ତାଙ୍କ ଦଳର ଜେରୀ ମାଓ୍ବିମିଙ୍ଗଥାଙ୍ଗାଙ୍କୁ ପ୍ରଦାନ କରାଯାଇଥିଲା l ଆଇସଏଲ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ଓଡିଶା ଦଳକୁ ଯାଇଥିଲା ଏବଂ ଏହା ଗ୍ରହଣ କରିଥିଲେ ନନ୍ଦକୁମାର ସେକର l
ପୁରସ୍କାର
ଲିମିଟଲେସ ପ୍ଲେୟର ଅଫ ଦି ମ୍ୟାଚ: ଶୁଭମ ଷଢଙ୍ଗି
ହିରୋ ଅଫ ଦି ମ୍ୟାଚ: ଜେରୀ ମାଓ୍ବିମିଙ୍ଗଥାଙ୍ଗା
ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ : ନନ୍ଦକୁମାର ସେକର