Odisha FC players practise before the start of the match 18 of the Indian Super League ( ISL ) between the Kerala Blasters FC and Odisha FC held at the Jawaharlal Nehru Stadium, Kochi, India on the 8th November 2019. Photo by: Vipin Pawar / SPORTZPICS for ISL
ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ) ମ୍ୟାଚ ହେବ। ଓଡ଼ିଶା ଏଫସି ଗତ ତିନୋଟି ମ୍ୟାଚରେ ପଏଣ୍ଟ ଭାଗକରି ଡ୍ରରେ ହ୍ୟାଟ୍ରିକ କରିଛି। ଜୋସେଫ ଗାମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଏଟିକେ ଏବଂ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଗୋଲଶୂନ୍ୟ ଏବଂ ଚେନ୍ନାଇନ୍ ଏଫସି ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିଲା। ତେଣୁ ଆଗାମୀ ମ୍ୟାଚରେ ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଭଲ ଖେଳି ଦଳ ବିଜୟ ପଥକୁ ଫେରିବା ଲକ୍ଷ୍ୟ ରଖିଛି।
ଦେଖିବାକୁ ଗଲେ ଓଡ଼ିଶା ଏଫସି ଗତ କେତୋଟି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ଆସିଛି। ବଲ୍କୁ ଅଧିକ ସମୟରେ ନିଜ ନିୟନ୍ତ୍ରଣରେ ରଖିବା ସହ ପାସିଂରେ ମଧ୍ୟ ପରସ୍ପର ମଧ୍ୟରେ ସମନ୍ବୟକୁ ଦେଖାଇଛି। ତେବେ ଚାପ ସମୟରେ ଠିକ୍ଭାବେ ଫିନିଶିଂ କରିପାରି ନାହିଁ। ଫଳରେ ମ୍ୟାଚ ଫଳାଫଳକୁ ନିଜ ସପକ୍ଷରେ ନେବାରେ ବିଫଳ ହୋଇଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ଏହାର ରକ୍ଷଣଭାଗ ଅତ୍ୟନ୍ତ ଦୃଢ଼ ଥିବାରୁ ଖେଳିଥିବା ୬ ମ୍ୟାଚରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ଗୋଲ ବରଣ କରିଛି ଏବଂ ଅପରାଜୟ ରହିଛି। ”ବେଙ୍ଗାଲୁରୁ ବର୍ତ୍ତମାନର ଚାମ୍ପିୟନ ଏବଂ ଲିଗ୍ର ଅନ୍ୟତମ ଶ୍ରେଷ୍ଠ ଦଳ। ତେବେ ଉଭୟ ଦଳ ସମାନ ଷ୍ଟାଇଲରେ ଖେଳୁଥିବାରୁ ଆଗାମୀ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଛି। ଆମ ଦଳର ପ୍ରସ୍ତୁତିରେ ମୁଁ ସନ୍ତୁଷ୍ଟ। ବେଙ୍ଗାଲୁରୁକୁ ଆମେ କଡ଼ା ଚ୍ୟାଲେଞ୍ଜ ଦେଇ ପାରିବୁ“ ବୋଲି ଗାମ୍ବାଉ ପ୍ରକାଶ କରିଛନ୍ତି।
ଓଡ଼ିଶା ଏଫସି ମୁଖ୍ୟତଃ ଆଡ୍ରିଆନ ସାଣ୍ଟାନାଙ୍କ ଉପରେ ନିର୍ଭର କରିବ। ସେ ୪ଟି ଗୋଲ ସ୍କୋର କରି ସାରିଥିବାରୁ ବେଙ୍ଗାଲୁରୁ ରକ୍ଷଣଭାଗ ଭେଦ କରିବା ଭାର ତାଙ୍କ ଉପରେ ରହିବ। ପ୍ଲେ ମେକର କିସ୍କୋ ହର୍ନାଣ୍ଡେଜଙ୍କ ନିକଟରେ ମଧ୍ୟ ଏହି ଦକ୍ଷତା ଅଛି। ୩ଟି ଗୋଲ ଦେଇ ସାରିଥିବା ଏହି ସ୍ପାନିଶ ଖେଳାଳି ନିଜ ପୂର୍ବତନ ଦଳ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ବଡ଼ ଭୂମିକା ତୁଲାଇବା ଆଶା କରାଯାଉଛି। ଓଡ଼ିଶା ଏଫସି ବିପକ୍ଷ ମ୍ୟାଚ ରୋମାଞ୍ଚକ ହେବ ବୋଲି ବେଙ୍ଗାଲୁରୁ ଟିମ୍ କୋଚ୍ କାଲର୍ସ କ୍ୱାଡର୍ଟ ମଧ୍ୟ ପୂର୍ବାନୁମାନ କରିଛନ୍ତି। ”ବଲ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଓଡ଼ିଶା ଏଫସି ନିଶ୍ଚିତ ଆମସହିତ ଲଢ଼େଇ କରିବ। ଗାମ୍ବାଉ ଜଣେ କଠିନ ପରିଶ୍ରମୀ ଭଦ୍ରଲୋକ ଏବଂ ଉତ୍ତମ କୋଚ୍। ସେ ଆକ୍ରମଣାତ୍ମକ ଫୁଟବଲ ଖେଳିବାକୁ ଭଲ ପାଆନ୍ତି। ତେଣୁ ମ୍ୟାଚରେ ନିଶ୍ଚିତ ଉତ୍କଣ୍ଠା ରହିବ“ ବୋଲି କ୍ୱାଡର୍ଟ ପ୍ରକାଶ କରିଛନ୍ତି।