LONDON, ENGLAND - AUGUST 17: Steve Smith of Australia is struck by a delivery from Jofra Archer of England during day four of the 2nd Specsavers Ashes Test between England and Australia at Lord's Cricket Ground on August 17, 2019 in London, England. (Photo by Ryan Pierse/Getty Images)
ଲଣ୍ଡନ,୧୮ା୮(ଏଏଫ୍ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୯୨ ରନ (୧୬୧ ବଲ୍, ୧୪ ଚୌକା) କରି ଅଳ୍ପକେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ସ୍ମିଥ୍ଙ୍କ ଯୋଗୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୮ ରନ ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ୨୫୦ରନ କରିବାରେ ସମର୍ଥ ହୋଇଛି। ବର୍ଷାଯୋଗୁ ଚତୁର୍ଥ ଦିବସ ଖେଳ ଆଗୁଆ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଇଂଲଣ୍ଡ ୪ ଉଇକେଟ ବିନିମୟରେ ୯୬ରନ ସଂଗ୍ରହ କରିଥିଲା ଏବଂ ମୋଟ ଉପରେ ୧୦୪ ରନ ଅଗ୍ରଣୀ ଲାଭ କରିସାରିଥିଲା। ଆଶେସରେ କ୍ରମାଗତ ୭ ଥର ୫୦ କିମ୍ବା ତାଠାରୁ ଅଧିକ ରନ ସଂଗ୍ରହ କରିବାରେ ସ୍ମିଥ୍ ପ୍ରଥମ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ବର୍ଷାଯୋଗୁ ବୁଧବାର ମ୍ୟାଚର ପ୍ରଥମ ଦିବସ ଖେଳ ଆଦୌ ସମ୍ଭବ ହୋଇ ନ ଥିଲ। ପୁନଶ୍ଚ ଶୁକ୍ରବାର ମଧ୍ୟାହ୍ନଭୋଜନ ପରେ ଖେଳ ହୋଇପାରି ନ ଥିଲା। ରବିବାର ହେଉଛି ମ୍ୟାଚର ଅନ୍ତିମ ଦିବସ। ଶନିବାର ଅଷ୍ଟ୍ରେଲିଆ ପୂର୍ବଦିନର ଅସମାପ୍ତ ସ୍କୋର ୮୦/୪ରୁ ଖେଳ ଆରମ୍ଭ କରିଥିଲା। ସ୍ମିଥ୍ ଏବଂ ମାଥ୍ୟୁ ଓ୍ବେଡ୍ ଯଥାକ୍ରମେ ୧୩ ଓ ବିନା କୌଣସି ରନରେ ଅପରାଜିତ ଥିଲେ। ଉଭୟେ ୫ମ ଉଇକେଟ ଯୋଡ଼ିରେ ୨୧ ରନ ଯୋଗ କରିପାରିଥିଲେ। ଓ୍ବେଡ୍ ମାତ୍ର ୬ ରନ କରି ଷ୍ଟୁଆର୍ଟ ବ୍ରଡ୍ଙ୍କ ବଲ୍ରେ ରୋରି ବନର୍ସଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଯାଇଥିଲେ। ସ୍ମିଥ୍ କ୍ରିସ୍ ଓକ୍ସଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିବା ପୂର୍ବରୁ ଟିମ୍ ପେନ୍ (୨୪) ଏବଂ ପ୍ୟାଟ୍ କୁମିନ୍ସ (୨୦)ଙ୍କ ସହିତ ଯଥାକ୍ରମେ ୬୦ ଏବଂ ୪୬ ରନର ଭାଗୀଦାରି କରିଥିଲେ। ସ୍ମିଥ୍ ୮୦ରନ କରି ଖେଳୁଥିବାବେଳେ ଜୋଫ୍ରା ଆର୍ଚରଙ୍କ ଏକ ବଉନ୍ସର ତାଙ୍କ ବେକ ଓ ମୁଣ୍ଡ ମଧ୍ୟଭାଗରେ ବାଜିଥିଲା। ସେ ତଳରେ ପଡ଼ିଯାଇଥିଲେ। ତେବେ ସେ ପରେ ଖେଳ ଜାରି ରଖିଥିଲେ। ପିଟର ସିଡଲ ୯ ଏବଂ ନାଥାନ ଲିଅନ ୬ ରନ କରି ଆଉଟ ହୋଇଥିବା ବେଳେ ଜୋସ୍ ହାଜଲେଉଡ୍ ୩ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଷ୍ଟୁଆର୍ଟ ବ୍ରଡ ୬୫ ରନ ବିନିମୟରେ ୪ଟି ଉଇକେଟ ନେଇଥିବାବେଳେ କ୍ରିସ୍ ଓକ୍ସ ୩ ଏବଂ ଜୋଫ୍ରା ଆର୍ଚର ୨ ଉଇକେଟର ସଫଳତା ପାଇଥିଲେ।