WHANGAREI, NEW ZEALAND - NOVEMBER 17: England captain Joe Root watches from the dressing rooms during day three of the tour match between New Zealand A and England at Cobham Oval on November 17, 2019 in Whangarei, New Zealand. (Photo by Gareth Copley/Getty Images)
ଓ୍ବେଲିଂଟନ,୧୭।୧୧(ଏଏଫ୍ପି): ସ୍ଥାନୀୟ ଓ୍ବ୍ାଙ୍ଗାରେଇ କୋଭାମ ଓଭାଲ (ନ୍ୟୁ) ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏ’ ଓ ଭ୍ରମଣକାରୀ ଇଂଲଣ୍ଡ ଦଳ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ ରବିବାର ଅମୀମାଂସୀତ ଭାବେ ଶେଷ ହୋଇଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଇଂଲଣ୍ଡ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ଏ’ ବ୍ୟାଟିଂ କରି ପ୍ରଥମ ଇନିଂସରେ ୮୪ ଓଭରରେ ୬ ଉଇକେଟ ହରାଇ ୩୦୨ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଦଳ ତରଫରୁ ଗ୍ଲେନ୍ ଫିଲିପ୍ସ ୧୧୬ ରନର ଶତକୀୟ ପାଳି ଖେଳିଥିବା ବେଳେ ଓପନର ହାମିଶ ରଦରଫୋର୍ଡ ୫୯, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍ ବ୍ଲୁଣ୍ଡେଲ ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ, ଷ୍ଟୁଆର୍ଟ ବ୍ରଡ ଓ ଜ୍ୟାକ ଲିଚ୍ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ୧୧୭. ୫ ଓଭରରେ ୪୦୫ ରନ କରି ଅଲଆଉଟ ହେବା ସହ ୧୦୩ ରନର ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟ୍ଲର ସର୍ବାଧିକ ୧୧୦ ରନର ଶତକୀୟ ପାଳି ଖେଳିଥିଲେ। ସହିପରି ଓଲି ପୋପ ୮୮, ଜୋ ଡେନଲୀ ୬୮ରନ ଅର୍ଦ୍ଧଶତକୀଳ ପାଳି ଖେଳିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ଏ’ ତରଫରୁ ସ୍କଟ କୁଗଲେଜିନ ୩, ଡାରିଲ ମିଚେଲ ଓ ବ୍ଲେୟାର ଟିକ୍ନର ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।
ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଏ’ ତୃତୀୟ ତଥା ଅନ୍ତିମ ଦିବସ ଶେଷ ସୁଦ୍ଧା ୬୮ ଓଭରରେ ୮ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ଦଳ ତରଫରୁ କୌଣସି ଖେଳାଳି ଅର୍ଦ୍ଧଶତକ ହସଲ କରିପାରି ନ ଥିଲେ। ତେବେ ବୋଲିଂରେ ଇଂଲଣ୍ଡ ତରଫରୁ ଆର୍ଚର ଓ ସାମ କୁରାନ ୩ଟି ଲେଖାଏ, ବ୍ରଡ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଗୁରୁବାରଠାରୁ ଟାଉରାଙ୍ଗଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।