England's Joe Denly attend a practice session at Headingley Stadium in Leeds, northern England, on August 21, 2019 on the eve of the start of the third Ashes cricket Test match between England and Australia. (Photo by Paul ELLIS / AFP) / RESTRICTED TO EDITORIAL USE. NO ASSOCIATION WITH DIRECT COMPETITOR OF SPONSOR, PARTNER, OR SUPPLIER OF THE ECB (Photo credit should read PAUL ELLIS/AFP/Getty Images)
ଲିଡ୍ସ,୨୨।୮(ଏଏଫ୍ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିବାରୁ ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଲିଡ୍ସର ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଅଷ୍ଟ୍ରେଲିଆ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଲଡର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍ରେ ଅଭିଜ୍ଞ ଷ୍ଟିଭ୍ ସ୍ମିଥ୍ ଆହତ ହୋଇଥିଲେ। ଘଣ୍ଟା ପ୍ରତି ୯୨ ମାଇଲ ବେଗରେ ଆସି ବଲ୍ ତାଙ୍କ ବେକରେ ବାଜିଥିଲା। ଫଳରେ ସେ ତୃତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି। ସ୍ମିଥ୍ଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ମିଥ୍ ପ୍ରଥମ ଟେଷ୍ଟରେ ଉଭୟ ଇନିଂସରେ ୧୪୪ ଓ ୧୪୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ୯୨ ରନର ଲଢ଼ୁଆ ପାଳି ଖେଳିଥିଲେ।
ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍ କୁମିନ୍ସ, ଜୋଶ ହାଜେଲଉଡ୍ ଓ ମିଚେଲ ଷ୍ଟାର୍କଙ୍କ ଭଳି ତାରକା ଦ୍ରୁତ ବୋଲର ରହିଛନ୍ତି। ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆ ୧୮ ବର୍ଷ ପରେ ଆଶେସ ବିଜୟୀ ହେବ ବୋଲି କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି। ଇଂଲଣ୍ଡକୁ ହରାଇବାକୁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ମ୍ୟାଚ୍ ଜିତିବା ପାଇଁ ଆମେ ଏଠାରେ ଆସି ପହଞ୍ଚିଛୁ ବୋଲି ସେ କହିଛନ୍ତି।
ଆହତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ବିନା ଇଂଲଣ୍ଡ ପଡିଆକୁ ଓହ୍ଲାଇବ। ସ୍ମିଥ୍ ଓ ଇଂଲଣ୍ଡ ଓପନର ରୋରି ବନର୍ସଙ୍କୁ ବାଦ୍ ଦେଲେ ଦୁଇ ଦଳର ଟପ୍ ଅର୍ଡର କ୍ୱାଲିଟି ଫାଷ୍ଟ ବୋଲିଂକୁ ସାମ୍ନା କରିବାରେ ସମସ୍ୟାର ସମ୍ମୁଖୀନ ହେବା ଦେଖାଯାଇଛି। ବିଶ୍ୱକପ୍ ହିରୋ ଇଂଲଣ୍ଡ ଓପନର ଜାସନ ରୟ ଏହି ସିରିଜ୍ରେ ୪ଟି ଇନିଂସରେ ମାତ୍ର ୧୦ ରନ ହାରରେ ରନ୍ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବ୍ୟାଟିଂ କ୍ରମରେ ଅଦଳବଦଳ କରାଯିବ ବୋଲି କୋଚ୍ ଟ୍ରେଭର ବେଲିସ୍ କହିଛନ୍ତି। ସ୍ମିଥ୍ଙ୍କ ଅନୁପସ୍ଥିତିରୁ ଇଂଲଣ୍ଡ ଫାଇଦା ଉଠାଇବାକୁ ପ୍ରୟାସ କରିବ। ସ୍ମିଥ୍ ପ୍ରଥମ ମ୍ୟାଚରେ ଦୁଇଟି ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡର ଯୋଜନାକୁ ପଣ୍ଡ କରିଥିଲେ। ଜୋଫ୍ରା ଆର୍ଚର ପୁଣି ଇଂଲଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ସେହିପରି ଲଡର୍ସରେ ଅପରାଜିତ ଶତକ ହାସଲ କରିଥିବା ବେନ୍ ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିବା ଆଶା କରାଯାଉଛି। ବିଶ୍ୱକପ୍ ବିଜୟୀ ଇଂଲଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ୧-୧ ସମାନ ସ୍ତରକୁ ଆଣିବାକୁ ଚେଷ୍ଟ କରିବ। ସେହିପରି ବିଜୟୀ ହେବା ସହ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବାକୁ ପ୍ରୟାସ କରିବ। ଫଳରେ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।