MANCHESTER, ENGLAND - SEPTEMBER 06: England batsman Joe Root reaches his half century during day three of the 4th Ashes Test Match between England and Australia at Old Trafford on September 06, 2019 in Manchester, England. (Photo by Stu Forster/Getty Images)
ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ଙ୍କ ୨୧୧ ରନର ଦ୍ୱିଶତକୀୟ ପାଳି ସହ ୧୨୬ ଓଭରରେ ୮ ଉଇକେଟ ହରାଇ ୪୯୭ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭୪ ଓଭରରେ ୫ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୫ ଉଇକେଟ ହାତରେ ରଖି ଏବେ ୨୯୭ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଇନ୍ଫର୍ମ ବେନ୍ ଷ୍ଟୋକ୍ସ ୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨ ରନ କରି ଅପରାଜିତ ରହିଛନ୍ତି।
୨୫ ରନରେ ୨ ଉଇକେଟ ହରାଇ ଇଂଲଣ୍ଡ ଆରମ୍ଭରୁ ଝଟ୍କା ଖାଇଥିଲା। ଓପନର ଜୋ ଡେନଲି ୪ ରନ କରି ପ୍ୟାଟ୍ କୁମିନ୍ସଙ୍କ ବଲ୍ରେ ଶର୍ଟ ଲେଗ୍ରେ ମାଥ୍ୟୁ ଓ୍ବେଡଙ୍କୁ କ୍ୟାଚ୍ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ନାଇଟ୍ ଓ୍ବାଚ୍ମ୍ୟାନ୍ ଭାବେ ବ୍ୟାଟିଂ କରିବାକୁ ଆସିଥିବା କ୍ରେଗ୍ ଓଭରଟନ ୫ ରନ କରିଥିବା ବେଳେ ଦ୍ୱିତୀୟ ସ୍ଲିପ୍ରେ ସ୍ମିଥ୍ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓପନର ରୋରି ବନର୍ସ ୮୧ ଓ ଅଧିନାୟକ ଜୋ ରୁଟ ୭୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୪୧ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଶେଷରେ ଜାସନ ରୟ ୨୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓଭରଟନଙ୍କ ସମେତ ବନର୍ସ, ରୁଟ ଓ ରୟ ଜୋଶ ହାଜେଲଉଡଙ୍କ ଶିକାର ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ହାଜେଲଉଡ ୪ ଓ ପ୍ୟାଟ କୁମିନ୍ସ ଗୋଟିଏ ଉଇକେଟ ହାସଲ କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩/୧ରୁ ଇଂଲଣ୍ଡ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍ ସ୍କୋର ୧୫ରୁ ଖେଳ ଆରମ୍ଭ କରି ବନର୍ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ୩ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୨ ରନ ଅଧିକ ସଂଗ୍ରହ କରି ଓଭରଟନ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଦିବସରେ ମଧ୍ୟ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା ଓ ଓଦା ଗ୍ରାଉଣ୍ଡ ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା। ଲଞ୍ଚ୍ ପର୍ଯ୍ୟନ୍ତ ଖେଳ ସମ୍ଭବପର ହୋଇ ନ ଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୨୬ ଓଭରରେ ୪୯୭/୮ ଇନିଂସ ଘୋଷଣା
(ଷ୍ଟିଭ୍ ସ୍ମିଥ୍- ୨୧୧, ମାର୍ନସ ଲାବୁସ୍କାନ- ୬୭, ଟିମ୍ ପେନ- ୫୮, ଷ୍ଟୁଆର୍ଟ ବ୍ରଡ- ୩/୯୭, ଜ୍ୟାକ ଲିଚ୍- ୨/୮୩, କ୍ରୋଗ ଓଭରଟନ- ୨/ ୮୫)।
ଇଂଲଣ୍ଡ ପ୍ରଥମ ଇନିଂସ- ୭୪ ଓଭରରେ ୨୦୦/୫
(ରୋରି ବନର୍ସ- ୮୧, ଜୋ ରୁଟ- ୭୧, ଜୋଶ ହାଜେଲଉଡ- ୪/୪୮, ପ୍ୟାଟ୍ କୁମିନ୍ସ- ୧/୩୭ )।