ଆର୍‌ବିଆଇ ଗଭର୍ନରଙ୍କୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ,୧୧-୧୦: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀଙ୍କୁ ସଂସଦୀୟ କମିଟି ସମନ କରିବ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କରେ ପକ୍ଷ ରଖିବାକୁ ଏଭଳି ସମନ ଜାରି ହେବ ବୋଲି ସୂଚନା ରହିଛି। ନୂଆ କରି ଗଠନ ହୋଇଥିବା ଉକ୍ତ କମିଟି ପ୍ରଥମ କରି ବସିବାକୁ ଥିବା ବେଳେ ଅଡିଟର, ରେଟିଂ ଏଜେନ୍ସି ଏବଂ ଅଂଶୀଦାରଙ୍କ ଭୂମିକା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ପର୍ଯ୍ୟାଲୋଚନା କରିବ। ବିରୋଧୀ ଦଳ ସଦସ୍ୟମାନେ ଦେଶର ମାନ୍ଦାବସ୍ଥା, ରିଜର୍ଭ ବ୍ୟାଙ୍କର ମୁଦ୍ରା ଭଣ୍ଡାର, ଜିଏସ୍‌ଟି କାର୍ଯ୍ୟକାରିତା ଭଳି ପ୍ରସଙ୍ଗ ଉଠାଇବା ନେଇ ପ୍ରସ୍ତାବ ରଖିଛନ୍ତି। ସୁଧହାର ହ୍ରାସ ଏବଂ ମୁଦ୍ରା ଭଣ୍ଡାର ଭଳି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଗଭର୍ନର ପକ୍ଷ ରଖିବେ। ଏହାବାଦ୍‌ ପୁଞ୍ଜି ବଜାର ନିୟମ, ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନଗୁଡିକର ଦୃଢୀକରଣ ପଦକ୍ଷେପ ଆଲୋଚନା ପରିସରରେ ଆସିବାର ପ୍ରସ୍ତାବ ରହିଛି।