ଆମେ ଆତଙ୍କବାଦୀ ନୋହୁଁ

ନୂଆଦିଲ୍ଲୀ,୧୮ା୯(ପି.ଟି.): ଆମେ ଆତଙ୍କବାଦୀ ନୋହୁଁ। କଶ୍ମୀରରେ ଯାହା ଚାଲିଛି ତାହା ଦେଶ ହିତରେ ନୁହେଁ। ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଗୃହବନ୍ଦୀ ରଖାଯିବା ଅଗଣତାନ୍ତ୍ରିକ। ଆମେ ଯାହା କରିପାରି ନ ଥିଲୁ ସରକାର ତାହା କରିଦେଇଛନ୍ତି କହି ସୀମା ସେପଟର ଲୋକେ ତାଳି ବଜାଉଛନ୍ତି। ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ କଶ୍ମୀରର ସିପିଏମ୍‌ ନେତା ମହମ୍ମଦ ତାରିଗାମୀ ଏଭଳି ଭାଷାରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସହ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ତାରିଗାମୀ କହିଛନ୍ତି, ସେ, ଫାରୁକ୍‌ ଓ ଅନ୍ୟମାନେ ଆତଙ୍କବାଦୀ ନୁହନ୍ତି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତକୁ ନେଇ ସେ ବିଚଳିତ। କଶ୍ମୀରୀମାନେ ବର୍ତ୍ତମାନର ସରକାରଠାରୁ ଅଧିକ କିଛି ଆଶା କରୁନାହାନ୍ତି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଶ୍ରୀନଗରରେ ଗୃହବନ୍ଦୀ ଥିବା ଅସୁସ୍ଥ ତାରିଗାମୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।