Inside pictures of Puri Jagannath Temple go viral again
ପୁରୀ ଅଫିସ,୩ା୧: ପୁରୀ ସହରକୁ ସ୍ବଚ୍ଛ ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ଆବର୍ଜନା ବୁହା ଗାଡ଼ିି (ସ୍ବଚ୍ଛ ସବାରୀ) ବୁଲୁଛି। ତେବେ ଏହି ଗାଡ଼ିରେ ଶ୍ରୀମନ୍ଦିର ଫଟୋ ରହିଥିବାରୁ ଆପତ୍ତି ଉଠାଇଛି ଶ୍ରୀଜଗନ୍ନାଥ ସେନା। ତୁରନ୍ତ ମନ୍ଦିର ଫଟୋ ହଟାଇବା ନେଇ ଗୁରୁବାର ସେନା ପକ୍ଷରୁ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ୭୨ ଘଣ୍ଟା ମଧ୍ୟରେ ଫଟୋଗୁଡ଼ିକୁ ହଟାଇବାକୁ ଏଥିରେ ଦାବି କରାଯାଇଛି।
ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ପ୍ରାୟ ୩ ମାସ ହେବ ପୌରସଂସ୍ଥା ପକ୍ଷରୁ ସ୍ବଚ୍ଛ ସବାରୀ ବିଭିନ୍ନ ୱାର୍ଡରେ ବୁଲୁଛି। ପ୍ରତ୍ୟେକ ଘରୁ ଏହି ଗାଡ଼ିିରେ ଶୁଖିଲା ଏବଂ ଓଦା ଆବର୍ଜନା ପୃଥକ୍ ଭାବେ ସଂଗ୍ରହ କରାଯାଉଛି। ତେବେ ଏହି ଗାଡ଼ିିରେ ଶ୍ରୀମନ୍ଦିରର ଫଟୋ ରହିଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେନାର ଆବାହକ ପଟ୍ଟନାୟକ କହିଛନ୍ତି, ପୌରସଂସ୍ଥା ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ସ୍ବାଗତଯୋଗ୍ୟ। କିନ୍ତୁ ଅଳିଆ ନେଉଥିବା ଗାଡ଼ିିଗୁଡ଼ିକରେ ଶ୍ରୀମନ୍ଦିର ଫଟୋ ରହିଛି। ଏହାଦ୍ୱାରା ମହାପ୍ରଭୁଙ୍କ ସମେତ ବଡ଼ଦେଉଳକୁ ଅପମାନିତ କରାଯାଉଛି। ଏହା ସମସ୍ତଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରୁଛି। ତେଣୁ ୭୨ ଘଣ୍ଟା ମଧ୍ୟରେ ଆବର୍ଜନାବୁହା ଗାଡ଼ିରୁ ଶ୍ରୀମନ୍ଦିର ଫଟୋ ହଟାଇଦେବାକୁ ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଛୁ। ନଚେତ ସେନା ନିଜେ ଏହି ଫଟୋଗୁଡ଼ିକ ହଟାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ।