BRISTOL, ENGLAND - MAY 30: Australian cricketer David Warner looks on during the Australia Nets Session at Bristol County Ground on May 30, 2019 in Bristol, England. (Photo by Luke Walker/Getty Images)
ଲଣ୍ଡନ,୧।୬(ଏଏଫ୍ପି)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଶନିବାର ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ ଓ୍ବାର୍ନର ପୁଣି ଥରେ ଏହି ବିଶ୍ୱକପ୍ରେ ଦିନିକିଆ କ୍ୟାରିୟର ସଜାଡିବାର ଅପୂର୍ବ ସୁଯୋଗ ହାସଲ କରିବେ। ବଲ୍ ଟ୍ୟାମ୍ପରିଂ ମାମଲାରେ ଏହି ଦୁଇ ଖେଳାଳି ବର୍ଷେ ବାସନ୍ଦ ହୋଇଥିଲେ। ଏବେ ଏହି ଦୁଇ ତାରକା ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ରେ ସ୍ମିଥ୍ ଓ ଓ୍ବାର୍ନର ଦମ୍ଦାର ପ୍ରଦର୍ଶନ କରିଥିଲେ। ଆଇପିଏଲ୍ରେ ଓ୍ବାର୍ନର ସର୍ବାଧିକ ରନ ସଂଗ୍ରହ କରିଥିଲେ। ସ୍ମିଥ୍ ମଧ୍ୟ ଶତକ ହାସଲ କରି ଇଂଲଣ୍ଡ ବିପକ୍ଷ ଓ୍ବାର୍ମଅପ୍ ଗେମ୍ରେ ଅଷ୍ଟ୍ରେଲିଆକୁ ଜିତାଇଥିଲେ। ଆରୋନ ଫିଞ୍ଚ୍ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ମଧ୍ୟ ଠିକ୍ ସମୟରେ ଲୟକୁ ଫେରିଛି ଓ ବିଶ୍ୱକପ୍ର ଅନ୍ୟତମ ଫେଭରାଇଟ୍ ଦଳ ଭାବେ ବିବେଚିତ ହେଉଛି। ଗତ ମାର୍ଚ୍ଚରେ ଭାରତକୁ ୩-୨ରେ ଦିନିକିଆ ସିରିଜରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ସ୍ମିଥ୍ ଓ ଓ୍ବାର୍ନରଙ୍କୁ ଦଳରେ ସ୍ବାଗତ କରିଥିଲା। ଏହି ଦୁଇଜଣ ଭଲ ପ୍ରଦର୍ଶନ କରିବେ ବୋଲି ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲୀ କହିଛନ୍ତି। ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜାସନ ବେହରେନଡୋର୍ଫ, ନାଥନ କୁଲ୍ଟର ନିଲ୍ ଓ କେନ ରିଚାର୍ଡସନଙ୍କୁ ନେଇ ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ବେଶ ଦୃଢ ମନେହେଉଛି। ସେହିପରି ଆଡାମ ଜାମ୍ପା ଓ ନାଥନ ଲିୟନଙ୍କୁ ନେଇ ସ୍ପିନ୍ ବିଭାଗ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ୫ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷରେ ଫେଭରାଇଟ ମନେହେଉଛି। ଆସୋସିଏଟ ଦେଶରୁ ଆଫଗାନିସ୍ତାନ କ୍ରିକେଟର ଏଲିଟ ଗ୍ରୁପ୍ରେ ସ୍ଥାନ ପାଇ ଯଥେଷ୍ଟ ଉନ୍ନତି କରିଛି। ସେତେ ଜଣାଶୁଣା ନ ଥିବା ଗୁଲବଦିନ ନାଇବଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ଅସଘର ଆଫଗାନଙ୍କ ବଦଳରେ ତାଙ୍କୁ ଅଧିନାୟକ ନିଯୁକ୍ତ କାରଯାଇଥିଲା। ଅବଶ୍ୟ ଦଳରେ କେତେକ ବରିଷ୍ଠ ସଦସ୍ୟ ଏହାକୁ ନାପସନ୍ଦ କରିଥିଲେ। ବିଶ୍ୱକପ୍ରେ ଆଫଗାନିସ୍ତାନ ଏଥର କିଛି କରିଦେଖାଇବା ଲକ୍ଷ୍ୟରେ ରହିଛି। ଅସଘରଙ୍କ ଅଭିଜ୍ଞତାରୁ ଫାଇଦା ଉଠାଇବୁ ବୋଲି ଗୁଲବଦିନ କହିଛନ୍ତି। ଷ୍ଟାର ସ୍ପିନର ରସିଦ ଖାଁ ଉପରେ ସମସ୍ତଙ୍କ ନଜର ରହିଛି। ବିଶ୍ୱ ଟି୨୦ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷରେ ରହିଛନ୍ତି। ସେହିପରି ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ସେ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍ ଓ୍ବାର୍ମଅପ୍ ମ୍ୟାଚ୍ରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା। ଆଫାଗାନିସ୍ତାନ ଏଥର ସେମିଫାଇନାଲ ଖେଳିବାର ଲକ୍ଷ୍ୟରେ ରହିଛି। ରସିଦ ଓ ମୁଜିବ ଉର ରହମାନଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି। ଏଥର ବିଶ୍ୱକପ୍ରେ କେତୋଟି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିଛି ବୋଲି ଆଫଗାନିସ୍ତାନ ମୁଖ୍ୟ ଚୟନକର୍ତ୍ତା ଦଲସ ଖାଁ ଅହମଦଜାଇ କହିଛନ୍ତି। ତେଣୁ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ସହଜରେ ବାଟ ଛାଡିବ ନାହଁି ବୋଲି ଆଶା କରାଯାଉଛି।