New Delhi, Apr 27 (ANI): Prime Minister Narendra Modi interacts with Chief Ministers of all States on COVID-19 situation through video conference, in New Delhi on Monday. (ANI Photo)
ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନାରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡାଉନ ଅବଧିକୁ ଆଉ ମାନେ ବୃଦ୍ଧି କରିବାକୁ ଦାବି କରିଥିବା ଜଣାପଡିଛି। ନବୀନଙ୍କ ନିକଟରେ ଉପସ୍ଥିତ ଥିବା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଲକ୍ଡାଉନ ଅବଧିକୁ ବୃଦ୍ଧି କରାଯାଉ ହେଲେ ବାଣିଜି୍ୟକ କାରବାରରେ କିଛିଟା କୋହଳ କରାଯାଉ। ସେହିପରି ମେଘାଳୟ ମୁଖ୍ୟମନ୍ତ୍ରୀ ମଧ୍ୟ ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇନ୍ତି। ପାଖାପାଖି ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ପ୍ରସ୍ତାବ ଦେଇଥିବା ବେଳେ କେତେଜଣ କହିଛନ୍ତି ସଂକ୍ରମିତ ହାରକୁ ନେଇ ରେଡ୍ ଜୋନ୍, ଏଲୋ ଜୋନ୍ ଓ ଗ୍ରୀନ୍ ଜୋନ୍ରେ ବିଭିନ୍ନ ଅଞ୍ଚଳକୁ ବିଭକ୍ତ କରାଯିବା ପରେ ସେହି ଅନୁଯାୟୀ ଲକ୍ଡାଉନ ନିୟମରେ କୋହଳ କରାଯାଉ। ଆଉ କେତେଜଣ ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ ନିଜ ନିଜ ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ଉପରେ ଆଲୋଚନା କରିବା ସହ ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆଲୋଚନା ପରେ ୨-୩ ଦିନ ମଧ୍ୟ ଏହାକୁ ନେଇ ରଣନୀତି ପ୍ରସ୍ତୁତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଏତ ସପ୍ତାହର ଶେଷ ବେଳକୁ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି।